Recent Post

ଛାତ୍ର ଓ ରାଜନୀତି ପ୍ରବନ୍ଧ Chhatra o rajaniti Essay

ଛାତ୍ର ଓ ରାଜନୀତି

ଛାତ୍ର ଓ ରାଜନୀତି ପ୍ରବନ୍ଧ ପୋଷ୍ଟର

ଉପକ୍ରମ

ରାଜନୀତି ଏକ ଉଚ୍ଚକୋଟୀର ବିଷୟବସ୍ତୁ । ଏହା ଏକ ଉଚ୍ଚସ୍ତରୀୟ କଳା ଏବଂ ଉଚ୍ଚସ୍ତରୀୟ ବିଜ୍ଞାନ ମଧ୍ୟ। ପ୍ରତିପକ୍ଷର ସେନାପତି ପିତାମହ ଭୀଷ୍ମ ଶରଶଯ୍ୟାରେ ଶାୟିତ ଥିଲା ବେଳେ ଧର୍ମପୁତ୍ର ଯୁଧୁଷ୍ଠିର ତାଙ୍କଠାରୁ ରାଜନୀତି ଶିକ୍ଷା କରିବାକୁ ଯାଇଥିଲେ। ଲଙ୍କାଧୂପତି ରାବଣ ଯୁଦ୍ଧାହତ ହୋଇ ମୃତ୍ୟୁ ଅପେକ୍ଷାରେ ପଡ଼ିରହିଥିଲାବେଳେ ତାଙ୍କଠାରୁ ରାଜନୀତି ଶିକ୍ଷା କରିବା ପାଇଁ ରାବଣାରୀ ରାମଚନ୍ଦ୍ର ରାବଣ ନିକଟକୁ ଗମନ କରିଥିଲେ। ରାଜନୀତିବିଶାରଦ ବିଷ୍ଣୁ ଗୁପ୍ତ, ଚାଣକ୍ୟ, ପ୍ଲାଟୋ, ଅରିଷ୍ଟୋଟଲ୍, ହବସ୍, ଲକ୍‌ସ୍ ରୁଷୋ, ଭଲଟେୟାର୍ , କାଣ୍ଟ୍, ହେଗଲସ, କାର୍ଲମାର୍କସ୍ ଓ ମେକିଆଭେଲି ଆଦି ଖ୍ୟାତନାମା ପଣ୍ଡିତବର୍ଗ “ରାଜନୀତି ଉପରେ ବଡ଼ ବଡ଼ ଗ୍ରନ୍ଥମାନ ଲେଖିଯାଇଛନ୍ତି ; ତେଣୁ ଏଭଳି ଗୋଟିଏ ଗୁରୁତ୍ଵପୂର୍ଣ୍ଣ ଉପାଦେୟ ବିଷୟବସ୍ତୁ ଅଧ୍ୟୟନ କରିବା ଯେ, ଛାତ୍ରମାନଙ୍କ ପକ୍ଷେ ସର୍ବଥା ଉଚିତ, ଏ ବିଷୟରେ କାହାରି ଦ୍ବିରୁକ୍ତି ନାହିଁ।

ତାତ୍ତ୍ଵିକ ରାଜନୀତି ଛଡ଼ା ବାସ୍ତବ ରାଜନୀତି ସମ୍ବନ୍ଧରେ ସେମାନଙ୍କର ଜ୍ଞାନଲାଭ ଉଦ୍ୟମକୁ ସମସ୍ତେ ଉତ୍ସାହିତ କରିବା ଉଚିତ। ବାସ୍ତବ ରାଜନୀତିର ଅର୍ଥ ହେଉଛି, ଚଳିତ ସମୟରେ ଯେଉଁସବୁ ରାଜନୈତିକ ଚିନ୍ତାଧାରା ଯେଉଁ ପରିମାଣରେ ଦେଶବିଦେଶରେ ବିସ୍ତାରଲାଭ କରିଅଛି, ଦେଶବିଦେଶରେ ବିଭିନ୍ନ ରାଜନୈତିକ ଦଳର ମତାମତ ଓ କାର୍ଯ୍ୟକଳାପ ଦେଶର ଚଳିତ ଅବସ୍ଥା ଲାଗି ବର୍ତ୍ତମାନର ଶାସନସଂସ୍ଥା କେତେ ପରିମାଣରେ ଦାୟୀ, ଦେଶର ବିଭିନ୍ନ ରାଜନୈତିକ ସମସ୍ୟା ଓ ସେହି ସମସ୍ୟାଗୁଡ଼ିକର ସମାଧାନ ପନ୍ଥା, ନିଜ ଦେଶ ପ୍ରତି ଅନ୍ୟାନ୍ୟ ଦେଶଗୁଡ଼ିକର ମତିଗତି ଏବଂ ଅନ୍ୟାନ୍ୟ ଦେଶର ନିଜ ଦେଶ ପ୍ରତି ମତିଗତି, ସ୍ଵଦେଶ ଓ ବିଦେଶର ବୈଦେଶିକ ନୀତି, କେଉଁ କେଉଁ ଦେଶରେ କେଉଁ କେଉଁ ମତବାଦୀ ସରକାରମାନେ ଅଛନ୍ତି ଏବଂ ସେହି ସେହି ସରକାରଙ୍କ ସଂପୃକ୍ତ ଦେଶବାସୀଙ୍କର ପ୍ରତିକ୍ରିୟା ଏବଂ ଏତାଦୃଶ ଅନ୍ୟାନ୍ୟ ପ୍ରସଙ୍ଗ। ଏସବୁ ସମ୍ବନ୍ଧରେ ଜ୍ଞାନଲାଭ କରିବାକୁ ହେଲେ ଛାତ୍ରମାନଙ୍କୁ ବିଭିନ୍ନ ସମ୍ବାଦପତ୍ର, ବିଭିନ୍ନ ପତ୍ରପତ୍ରିକା ଓ ବିଭିନ୍ନ ପୁସ୍ତକ ପୁସ୍ତିକାମାନ ପାଠ କରିବାକୁ ପଡ଼ିବ। ଏତଦ୍‌ବ୍ୟତୀତ ସେମାନଙ୍କୁ ରାଜନୈତିକ ଆଲୋଚନାଚକ୍ରଗୁଡ଼ିକରେ ଉପସ୍ଥିତ ରହି ରାଜନୈତିକ ଆଲୋଚନାସବୁ ସମାଧାନତାର ସହିତ ଗ୍ରହଣ କରିବାକୁ ପଡ଼ିବ। ଛାତ୍ରମାନଙ୍କର ଏହି ସାଧୁ ଉଦ୍ୟମରେ କୌଣସି ବ୍ୟକ୍ତି ବିଚଳିତ ହେବା ଅନୁଚିତ; କିନ୍ତୁ ଛାତ୍ରମାନେ ଏସବୁ କାର୍ଯ୍ୟ କଲାବେଳେ ପ୍ରତ୍ୟେକ ଛାତ୍ର ବ୍ୟକ୍ତିଗତ ଭାବରେ ଚିନ୍ତାକରି ଦେଖିବା ଆବଶ୍ୟକ ଯେ, ସେ ତା’ର ଶିକ୍ଷାନୁଷ୍ଠାନୀୟ ସିଲାବସ୍ ପ୍ରତି ଅବହେଳା ପ୍ରଦର୍ଶନ କରୁନାହିଁ; କାରଣ ସବୁ ଛାତ୍ରଙ୍କର ମସ୍ତିଷ୍କର ଶକ୍ତି ସମାନ ନୁହେଁ। ଯେଉଁ ଛାତ୍ର ନିଜର ସିଲାବସ୍ ପାଠ୍ୟ ଆୟତ୍ତ କରି ଏସବୁ ରାଜନୈତିକ ଜ୍ଞାନ ଆହରଣ କରିବା ପାଇଁ ସମୟ ଦେଇପାରିବେ, କେବଳ ସେହିମାନେ ହିଁ ଏଭଳି ଉଦ୍ୟମରେ ଆଗ୍ରହୀ ହେବା ବାଞ୍ଛନୀୟ; କିନ୍ତୁ ଦୁଃଖର ବିଷୟ ଏହି ଯେ, ଏଭଳି ଛାତ୍ରଙ୍କ ସଂଖ୍ୟା ଅତି ନଗଣ୍ୟ।

ତାତ୍ତ୍ଵିକ ଓ ବାସ୍ତବ ରାଜନୀତି ବ୍ୟତୀତ ଆଉ ଏକ ରାଜନୀତି ଆମ ଦୃଷ୍ଟିକୁ ଆସେ। ତାହା ହେଉଛି ସକ୍ରିୟ ରାଜନୀତି। ଇଂରାଜୀରେ ଏହାକୁ Active politics କୁହାଯାଏ। ସକ୍ରିୟ ରାଜନୀତି ରାଜନୈତିକ କର୍ମକ୍ଷେତ୍ରର କାର୍ଯ୍ୟ। ଛାତ୍ରମାନେ ସକ୍ରିୟ ରାଜନୀତିରେ ଅଂଶ ଗ୍ରହଣ କରିବା ଛାତ୍ରମାନଙ୍କର ତଥା ଦେଶ ଓ ଜାତିର ହିତ ଦୃଷ୍ଟିରୁ ଉଚିତ କି ଅନୁଚିତ, ଏହି ପ୍ରଶ୍ନ ବର୍ତ୍ତମାନ ସବୁ ଚିନ୍ତାଶୀଳ ବ୍ୟକ୍ତିଙ୍କୁ ବିଚଳିତ କରୁଅଛି ଏବଂ ଏହି ପ୍ରଶ୍ନ ହିଁ ଶଂସିତ ପ୍ରବନ୍ଧର ପ୍ରଧାନ ଉପଜୀବ୍ୟ ଅଟେ।

ସକ୍ରିୟ ରାଜନୀତି ଓ ଛାତ୍ର :-

ରାଜନୈତିକ ପରିସ୍ଥିତି, ସମସ୍ୟା ବା ମତବାଦ ଉପରେ କେବଳ ବିବୃତି ବା ମତାମତ ଦେବା ସକ୍ରିୟ ରାଜନୀତି ନୁହେଁ। ବହୁ ସମ୍ପଦଶାଳୀ, ପ୍ରତିଭାଶାଳୀ, ସ୍ଵାସ୍ଥ୍ୟବାନ୍, ବ୍ୟକ୍ତିତ୍ଵବାନ୍ ପ୍ରତିପତ୍ତିଶାଳୀ ଆହ୍ଲାଦପରାୟଣ ରାଜନୀତିଜ୍ଞ ଅଛନ୍ତି, ଯେଉଁମାନେ ବହୁ ଉପାଦେୟ ଗ୍ରନ୍ଥ ଓ ପତ୍ରପତ୍ରିକା ସବୁ ସୁଖପାଠ କରି କେବଳ ମତାମତ ଓ ବିବୃତିବାନରେ ନିଜର ରାଜନୈତିକ କାର୍ଯ୍ୟକଳାପକୁ ସୀମାବଦ୍ଧ ରଖିବାକୁ ଚାହାନ୍ତି। ସେମାନେ ରାଜନୈତିକ କର୍ମକ୍ଷେତ୍ରରେ ଅବତୀର୍ଣ୍ଣ ହେବାକୁ ସଂପୂର୍ଣ୍ଣ ଅନିଚ୍ଛୁକ। ସେମାନେ ନିଜ ନିଜର ସୁଖସମ୍ଭୋଗପୂର୍ଣ୍ଣ ଗୃହସ୍ଥଳୀର ବିଳାସ ଓ ସ୍ବାଚ୍ଛନ୍ଦ୍ୟ ମଧ୍ୟରେ ରାଜନୈତିକ କାର୍ଯ୍ୟକଳାପକୁ ସୀମିତ ରଖିଥା'ନ୍ତି। ସେମାନେ ସର୍ବସାଧାରଣ ସଭାସମିତିରେ ଯୋଗଦେବାକୁ ସଂପୂର୍ଣ୍ଣ ପରାମୁଖ। ସେମାନେ ସେମାନଙ୍କର ସୁସଜ୍ଜିତ ମଟରଗାଡ଼ିରେ ଏବଂ କତିପୟ ବିଶିଷ୍ଟ ବ୍ୟକ୍ତିଙ୍କର କୁଶନ୍ ଗଦିଯୁକ୍ତ ଚୌକୀଶୋଭିତ ଚା’ ଭୋଜି ବା ଉଦ୍ୟାନ ଭୋଜିସମ୍ବଳିତ ବିଶେଷଧରଣର କ୍ଷୁଦ୍ର ସଭାରେ ଅଳ୍ପ ସମୟ ପାଇଁ ଯୋଗ ଦେଇଥା’ନ୍ତି। ରାଜନୀତି ଏମାନଙ୍କର ଏକ ବିଳାସ ଅଟେ। ଏହି ଶ୍ରେଣୀୟ ରାଜନୀତିଜ୍ଞମାନଙ୍କୁ Arm chair politician ବୋଲି କୁହାଯାଏ। ଛାତ୍ରମାନେ ଯଦି ଏହିମାନଙ୍କ ଭଳି ବିବିଧ ପୁସ୍ତକ ଓ ପତ୍ରପତ୍ରିକା ପାଠକରି ଦେଶର ବିଭିନ୍ନ ସମସ୍ୟା ଉପରେ ବିବୃତି ଓ ମତାମତ ଦିଅନ୍ତି, ତେବେ ସେଥିରେ ସେମାନଙ୍କର କୌଣସି କ୍ଷତି ହେବ ନାହିଁ, ତଦ୍ଦ୍ୱାରା ବରଂ ସେମାନଙ୍କର ରାଜନୈତିକ ଜ୍ଞାନ ଓ ବିଚାରଶକ୍ତି ବୃଦ୍ଧିଲାଭ କରିବ; କିନ୍ତୁ ଏହା କେବଳ ସେହି ଛାତ୍ରଙ୍କ ପକ୍ଷେ ସମ୍ଭବ, ଯେଉଁମାନେ କି ନିଜର ସିଲାବସ୍ ପାଠ୍ୟ ପ୍ରସ୍ତୁତ କରିବା ପରେ ଏସବୁ ଆଲୋଚନା ପାଇଁ ସମୟ ଉଦ୍‌ବୃତ୍ତ ରଖିପାରିବେ; କିନ୍ତୁ ଦୁଃଖର ବିଷୟ ଏହା ଅଧିକାଂଶ ଛାତ୍ରଙ୍କ ପକ୍ଷେ ସମ୍ଭବ ନୁହେଁ। ଯେଉଁ କେତେକ ଛାତ୍ରଙ୍କ ପକ୍ଷେ ଏହା ସମ୍ଭବ, ସେମାନଙ୍କର ମତାମତ ବିବୃତିକୁ ପତ୍ରପତ୍ରିକାମାନେ ପ୍ରକାଶ କରି ନ ପାରନ୍ତି; କିନ୍ତୁ ସେମାନେ ଚାରି ପାଞ୍ଚ ଜଣ ମିଶି ଗୋଟିଏ ଗୋଟିଏ ଆଲୋଚନାଚକ୍ର ଗଢ଼ିପାରିବେ ଏବଂ ସେହିଠାରେ ପରସ୍ପର ନିଜ ନିଜର ମତାମତସବୁ ଆଲୋଚନା କରିପାରିବେ। ହାତଲେଖା ପତ୍ରିକା ସୃଷ୍ଟି କରି ସେଥିରେ ନିଜ ନିଜର ମତାମତ ବା ବିବୃତିକୁ ଲିପିବଦ୍ଧ କରିପାରିବେ।

ସକ୍ରିୟ ରାଜନୀତି କହିଲେ କେବଳ ବିବୃତି ବା ମତାମତକୁ ବୁଝାଏ ନାହିଁ । ସକ୍ରିୟ ରାଜନୀତି ଅର୍ଥ ଏସବୁ ସଙ୍ଗେ ସଙ୍ଗେ ସର୍ବସାଧାରଣ କ୍ଷେତ୍ରରେ ରାଜନୈତିକ ବ୍ୟକ୍ତି ଭାବରେ କ୍ରିୟାଶୀଳ ହୋଇଉଠିବା ; ଠା'କୁ ଠା ରାଜନୈତିକ ସଭାମାନ ସଙ୍ଗଠିତ କରି ଜନସାଧାରଣଙ୍କୁ ନିଜର ମତାମତ ବୁଝାଇବା, ଶୋଭାଯାତ୍ରା ଓ ବିକ୍ଷୋଭଯାତ୍ରା ମାନ ସଙ୍ଗଠିତ କରି ଜନମତର ଦୃଢ଼ତା ପ୍ରକାଶ କରିବା ; ପ୍ରତିକୂଳ ପରିସ୍ଥିତି ସହିତ ସଂଗ୍ରାମ କରି ନିଜ ବିଶ୍ଵାସକୁ ପ୍ରତିଷ୍ଠା କରିବା ; ଦେଶର ଶାସନଭାର ଗ୍ରହଣ କରିବାକୁ ଉଦ୍ୟମ କରିବା ଏବଂ ଶାସନକ୍ଷେତ୍ରରେ ସ୍ୱକଳ୍ପିତ ନୀତି ଓ ଯୋଜନାକୁ କାର୍ଯ୍ୟକାରୀ କରିବା। ଯେତେ ପ୍ରତିଭାବାନ୍ ଛାତ୍ର ହେଲେ ମଧ୍ୟ ସକ୍ରିୟ ରାଜନୀତିରେ ଯୋଗଦେଇ ନିଜର ପାଠ୍ୟଭାର ସମ୍ଭାଳି ପାରିବା ସଂପୂର୍ଣ୍ଣ ଅସମ୍ଭବ; ତେଣୁ ଛାତ୍ରମାନେ ଯଦି ସକ୍ରିୟ ରାଜନୀତିରେ ଯୋଗଦିଅନ୍ତି, ସେମାନଙ୍କର ଗୁରୁତର କ୍ଷତି ଘଟିବା ସଙ୍ଗେ ସଙ୍ଗେ ଦେଶ ଓ ଜାତିର ଭବିଷ୍ୟତ ଧ୍ୱଂସାଭିମୁଖୀ ହେବ।

ସ୍ତରଭେଦରେ ରାଜନୀତି :-

ମ୍ୟାଟ୍ରିକ୍ ପରୀକ୍ଷାରେ କୃତିତ୍ଵ ଲାଭ ନ କଲା ପର୍ଯ୍ୟନ୍ତ କୌଣସି ଛାତ୍ର ରାଜନୀତି ବିଷୟରେ ମସ୍ତିଷ୍କଚାଳନା କରିବା ଆଦୌ ସମୀଚୀନ ନୁହେଁ । ସେମାନେ କେବଳ ରାଜନୈତିକ ସାଧାରଣ ଜ୍ଞାନ ଆହରଣ କରିପାରନ୍ତି। ରାଜନୈତିକ ମତବାଦଗୁଡ଼ିକ ମଧ୍ୟରୁ କେଉଁଟି ଭଲ କେଉଁଟି ମନ୍ଦ, ତାହା ମଧ୍ୟ ସେମାନେ ଚିନ୍ତା କରିବା ଅନୁଚିତ। ଏହାର ଅର୍ଥ ମ୍ୟାଟ୍ରିକ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ନ ହେଲା ପର୍ଯ୍ୟନ୍ତ ଛାତ୍ର କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ମତବାଦକୁ ପୋଷଣ କରିବା ଉଚିତ ନୁହେଁ; କାରଣ ମ୍ୟାଟ୍ରିକ୍ ପାଠ୍ୟକ୍ରମ ଅନୁଶୀଳନ କରିବା ବୟସକୁ ସେମାନଙ୍କର ମସ୍ତିଷ୍କ ଜଟିଳ ରାଜନୀତିର ମୂଲ୍ୟାଙ୍କନ ଲାଗି ପରିପକ୍ଵ ହୋଇ ନ ଥାଏ। ମ୍ୟାଟ୍ରିକ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲାବେଳକୁ ସେମାନଙ୍କର ବୟସ ଯଦି ଅଷ୍ଟାଦଶ ବର୍ଷରୁ ଊର୍ଦ୍ଧ୍ଵ ହୋଇଥାଏ, ତେବେ ସେମାନେ କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ମତବାଦ ଗ୍ରହଣ କରିପାରନ୍ତି। କେତେକ କୃତିତ୍ଵସମ୍ପନ୍ନ ଜନନାୟକଙ୍କର ଜୀବନୀ ପାଠ କଲେ ଆମ୍ଭେମାନେ ଅବଗତ ହେଉ ଯେ, ସେମାନେ ସେମାନଙ୍କ ଛାତ୍ରଜୀବନରେ କୌଣସି ପ୍ରକାରର ରାଜନୀତି ସହିତ ସଂପୃକ୍ତ ନ ଥିଲେ। ମହାତ୍ମାଗାନ୍ଧିଜବାହରଲାଲ ନେହେରୁଙ୍କ ଛାତ୍ରଜୀବନ ଆଲୋଚନା କଲେ ଆମ୍ଭେମାନେ ଏହି ସତ୍ୟରେ ଉପନୀତ ହୋଇଥାଉ। ଛାତ୍ରଜୀବନରେ ଜବାହରଲାଲ କେବଳ ରାଜନୈତିକ ସାଧାରଣ ଜ୍ଞାନ ପ୍ରତି ଆଗ୍ରହଶୀଳ ଥିଲେ। ଗାନ୍ଧିଜୀ ଓ ଜବାହରଲାଲ୍ ସେମାନଙ୍କ ଶିକ୍ଷାଜୀବନର ପରିସମାପ୍ତି ପରେ ମଧ୍ୟ ଅନେକ ଦିନ ଧରି କେବଳ ନିଜ ନିଜର ବ୍ୟକ୍ତିଗତ ଧନ୍ଦା ବିଷୟରେ ବ୍ୟସ୍ତ ରହିଥିଲେ। ବ୍ରିଟିଶ୍ ରାଜନୀତିଜ୍ଞ ଉଇନଷ୍ଟନ ଚର୍ଚ୍ଚିଲଙ୍କ ଛାତ୍ରଜୀବନ ମଧ୍ୟ ଏହିପରି ଭାବରେ ଗତି କରିଥିଲା। ଯେଉଁ ରାଜନୀତିଜ୍ଞମାନେ ଛାତ୍ରଜୀବନରୁ ରାଜନୀତି କ୍ଷେତ୍ରରେ ପ୍ରବେଶ କରିଥିଲେ, ସେମାନେ ବିଦ୍ୟାଳୟ ଶିକ୍ଷାକୁ ସଂପୂର୍ଣ୍ଣ ଳାଞ୍ଜଳି ଦେଇ ରାଜନୀତି କ୍ଷେତ୍ରରେ କ୍ରିୟାଶୀଳ ହୋଇଉଠିଥିଲେ। ବିଦ୍ୟାଳୟରେ ଛାତ୍ର ଥିବା ଅବସ୍ଥାରେ ସକ୍ରିୟ ରାଜନୀତି ସହିତ ସଂପୃକ୍ତ ରହି ଜୀବନରେ କେହି କେବେ ଯଶସ୍ବୀ ହୋଇପାରି ନାହାନ୍ତି।

ଉପସଂହାର

ଅଧୁନା ବହୁ ରାଜନୈତିକ ଦଳ ନାନାଦି କୌଶଳ ଅବଲମ୍ବନ କରି ଛାତ୍ରମାନଙ୍କୁ ନିଜର ହାତବାରିସୀରୂପେ ବ୍ୟବହାର କରିବାକୁ ଚେଷ୍ଟା କରୁଛନ୍ତି। ସରଳମତି ଛାତ୍ର ସାଧାରଣ ନିଜର ଆବଶ୍ୟକ କର୍ତ୍ତବ୍ୟକୁ ପାସୋରି ଦେଇ ସେହିମାନଙ୍କର କୌଶଳପୂର୍ଣ୍ଣ କଥାରେ ମାତିଯାଉଛନ୍ତି। ଫଳରେ ଛାତ୍ରମାନଙ୍କର ଗୁରୁତର କ୍ଷତି ଘଟୁଅଛି। ଛାତ୍ରଜୀବନ ହେଉଛି ଜୀବନଗଠନର ସମୟ। ଜୀବନଗଠନ ଲାଗି ଛାତ୍ରମାନଙ୍କ ପାଇଁ ଶିକ୍ଷା, ସଂଯମ, କ୍ରୀଡ଼ା, ବିଶ୍ରାମ ତଥା ଆଚାର ବ୍ୟବହାରର ଯେଉଁ ବିଧିବିଧାନମାନ ନିର୍ଦ୍ଦିଷ୍ଟ କରାଯାଇଅଛି ; ସେସବୁ ବୈଜ୍ଞାନିକ ଭିତ୍ତି ଉପରେ ସୁଚିନ୍ତିତ ଭାବରେ ପ୍ରଣୀତ। ଛାତ୍ରମାନେ ସେସବୁର ବ୍ୟତିକ୍ରମ କଲେ ସେମାନଙ୍କର ମୂଳଭିତ୍ତି ଦୁର୍ବଳ ରହିଯିବ। ଫଳରେ ଭବିଷ୍ୟତ ଜୀବନରେ ସେମାନେ ଆଶାନୁରୂପ ଉନ୍ନତି ଲାଭ କରିବାକୁ ସମର୍ଥ ହେବେ ନାହିଁ। ଦଳୀୟ ସ୍ଵାର୍ଥସାଧନ ଲାଗି ରାଜନୈତିକ ଦଳମାନେ ଛାତ୍ରମାନଙ୍କୁ ଅସ୍ତ୍ରରୂପେ ବ୍ୟବହାର କରିବା ନିମିତ୍ତ ନାନା କୌଶଳମାନ ପ୍ରୟୋଗ କରିଥା’ନ୍ତି। ଛାତ୍ରମାନେ ସେମାନଙ୍କଦ୍ଵାରା ପରିଚାଳିତ ହେବାର ପ୍ରଧାନ କାରଣ ହେଉଛି ଛାତ୍ରମାନେ ଭାବନ୍ତି ଯେ, ଶୋଭାଯାତ୍ରାରେ ସ୍ଲୋଗାନ ଦେବାଦ୍ଵାରା ସେମାନେ ବଡ଼ ବଡ଼ ରାଜନୀତିଜ୍ଞରେ ପରିଣତ ହେଲେ। ସେମାନଙ୍କର ଏହି ଧାରଣା ସଂପୂର୍ଣ୍ଣ ଭ୍ରମାତ୍ମକ; କାରଣ ସ୍ଲୋଗାନ ଦେଇ କୌଣସି ବ୍ୟକ୍ତି ବଡ଼ ରାଜନୀତିଜ୍ଞ ହୋଇଥିବାର ଦେଖାଯାଏ ନାହିଁ। ବଡ଼ ରାଜନୀତିଜ୍ଞ ହେବାକୁ ହେଲେ ରାଜନୀତି ସମ୍ବନ୍ଧରେ ଗଭୀର ଜ୍ଞାନ ପ୍ରଥମତଃ ବ୍ୟାପକ ଅଧ୍ୟୟନଦ୍ୱାରା ହିଁ ଲାଭ କରିବାକୁ ପଡ଼ିବ। ଯେଉଁମାନେ ବିଭିନ୍ନ ଦେଶର ରାଜନୈତିକ ଇତିହାସ, ଶାସନତାନ୍ତ୍ରିକ ବିକାଶ ଏବଂ ସାମାଜିକ ଓ ଅର୍ଥନୈତିକ ପରିସ୍ଥିତି ବିଷୟରେ ପାଣ୍ଡିତ୍ୟଲାଭ କରିନାହାନ୍ତି, ସେମାନେ ରାଜନୀତିଜ୍ଞ ହେବା ନିମିତ୍ତ ସଂପୂର୍ଣ୍ଣ ଅନୁପଯୁକ୍ତ। ସକ୍ରିୟ ରାଜନୀତିରେ ଅଂଶ ଗ୍ରହଣ କଲେ ଛାତ୍ରମାନେ ଏସବୁ ଜ୍ଞାନରେ ପାଣ୍ଡିତ୍ୟ ଲାଭ କରିବା ପାଇଁ ଶକ୍ତି ଓ ସମୟର ଘୋର ଅଭାବ ଅନୁଭବ କରିବେ। ସିଲାବସ୍ ପାଠ୍ୟ ମଧ୍ୟ ପ୍ରସ୍ତୁତ କରିବା ସେମାନଙ୍କ ପକ୍ଷେ ସଂପୂର୍ଣ୍ଣ ଅସମ୍ଭବ ହୋଇଉଠିବ; ତେଣୁ ସକ୍ରିୟ ରାଜନୀତିରେ ଅଂଶ ଗ୍ରହଣ କରିବା ଛାତ୍ରମାନଙ୍କ ପକ୍ଷରେ ଆଦୌ ସ୍ପୃହଣୀୟ ନୁହେଁ।

*****


Comments