Skip to main content

Recent Post

EDUCATIONAL TECHNOLOGY

  EDUCATIONAL TECHNOLOGY 1 UNIT From the ancient abacus to handheld calculators, from slide projectors and classroom film strips to virtual reality and next-generation e-learning, educational technology continues to evolve in exciting new ways inspiring teachers and students alike. Technology is continually changing the way we work and play, create and communicate. So it's only natural that advancements in digital technology are also creating game-changing opportunities in the world of education. For teachers, technology is opening up new possibilities to enrich and stimulate young minds. Today, there is growing excitement around the potential for assistive technology, virtual and augmented reality, high-tech collaboration tools, gamification, podcasting, blogging, 3D printing, artificial intelligence, personalized learning and much more. Educational technology is a systematic and organized process of applying modern technology to improve the quality of education (efficie...

Essay Tumara priya khela

ପ୍ରବନ୍ଧ:- ତୁମର ପ୍ରିୟ ଖେଳ

Tumara priya khela essay poster


[ଫୁଟବଲ୍ ଖେଳ]

ଉପକ୍ରମ :—

ଫୁଟ୍‌ବଲ୍ ଖେଳ କି ମଜା! ବର୍ଷା-ବିଧୌତ କ୍ରୀଡ଼ାଭୂମିରେ ଗଡ଼ିଯାଉଥିବା ସୁବର୍ତ୍ତୁଳ ଫୁଟ୍‌ବଲ୍‌ର ଅନୁଧାବନ କରିବାରେ ଯେଉଁ ଆନନ୍ଦ ମିଳେ, ତାହା ଅନୁଭୂତିହୀନ ବ୍ୟକ୍ତି ପକ୍ଷରେ ବୁଝିପାରିବା ସହଜସାଧ୍ୟ ନୁହେଁ। ନାନା ଭାବଭଙ୍ଗୀଦ୍ଵାରା ଅପରପକ୍ଷର ଖେଳାଳିମାନଙ୍କୁ ଠକିଦେଇ ପାଦ ସାହାଯ୍ୟରେ ବଲ୍ ଗଡ଼େଇ ଗଡ଼େଇ ନେଇଯିବା ଏବଂ ଆଶଙ୍କାପୂର୍ଣ ସ୍ଥଳରେ ସ୍ଵପକ୍ଷୀୟ ଖେଳାଳି ପାଖକୁ ବଲ୍ ମାରିଦେବାର କୌଶଳରେ ବହୁ ଆମୋଦ ନିହିତ ଅଛି। ଅପର ପକ୍ଷକୁ ଗୋଲ୍ ଦେବାରେ ଯେତିକି ଆନନ୍ଦ ରହିଛି, ସ୍ଵପକ୍ଷକୁ ଗୋଲ୍‌ରୁ ବଞ୍ଚେଇ ଦେବାରେ ମଧ୍ୟ ସେତିକି ଆନନ୍ଦ ରହିଅଛି। ବୁଦ୍ଧି, କୌଶଳ, ଉତ୍ସାହ, , ଉନ୍ମାଦନା, ଦୁଃସାହସ ଓ ରୋମାଞ୍ଚରେ ପୂରି ରହିଥିବାରୁ ଫୁଟ୍‌ବଲ୍‌ ଖେଳ ମୋ ନିକଟରେ ବଡ଼ ପ୍ରିୟ ହୋଇପଡ଼ିଛି। ଫୁଟ୍‌ବଲ୍‌ ଖେଳ ହିଁ ମୋର ସବୁଠାରୁ ବଳି ପ୍ରିୟ ଖେଳ।

ଫୁଟ୍‌ବଲ୍‌ ଖେଳରେ ଆନନ୍ଦ :–

ଫୁଟବଲ୍‌ ଖେଳ ବାସ୍ତବିକ୍ ବଡ଼ ଆନନ୍ଦଦାୟକ। ଫୁଟ୍‌ବଲ୍‌ ଖେଳରେ ପ୍ରତିପକ୍ଷକୁ ଗୋଲ୍ ଦେଲାବେଳେ ଯେ, କେବଳ ଆନନ୍ଦ ମିଳେ, ତାହା ନୁହେଁ; ଏହି ଖେଳର ପ୍ରତି ପଦକ୍ଷେପରେ ଆନନ୍ଦ ନିହିତ। ଆରମ୍ଭରୁ ଶେଷପର୍ଯ୍ୟନ୍ତ ଆନନ୍ଦ ପୂରି ରହିଅଛି। କେବଳ ଯେ, ଖେଳାଳି ଏଥରେ ଆନନ୍ଦ ପାଏ, ତାହା ନୁହେଁ; ଏହି ଖେଳର ଦର୍ଶକମାନେ ମଧ୍ୟ ଆନନ୍ଦ ପାଆନ୍ତି। ଫୁଟ୍‌ବଲ୍‌ ଉପରେ ଦର୍ଶକମାନଙ୍କର ଆଖି। ଫୁଟ୍‌ବଲ୍‌ର ଗତି ସଙ୍ଗେ ସଙ୍ଗେ ଦର୍ଶକମାନଙ୍କ ଦୃଷ୍ଟି ଘୂରି ବୁଲୁଥାଏ ; ତେଣୁ ଦର୍ଶକ ନିକଟରେ ଯୋଗ୍ୟ ଖେଳାଳିର କେତେ ଗୌରବ ଓ କେତେ ଆନନ୍ଦ, ତାହା ସହଜରେ ଅନୁମେୟ। ଫୁଟ୍‌ବଲ୍‌ ଖେଳରେ ଆନନ୍ଦ ପୂରି ରହିଥିବାରୁ ପିଲାମାନେ ସ୍କୁଲ୍‌ଛୁଟି ପରେ ପରେ ସାମାନ୍ୟ ଲଘୁ ଭୋଜନ ଶୀଘ୍ର ସମାପ୍ତ କରି କ୍ରୀଡ଼ାଭୂମିକୁ ଧାଇଁ ଯାଇଛି।

ଫୁଟ୍‌ବଲ୍ ଖେଳର ଉପକାରିତା :–

ଫୁଟବଲ୍‌ ଖେଳ ଖେଳାଳିମାନଙ୍କର ବହୁ ଉପକାର ସାଧନ କରେ। ମୁକ୍ତ ବାୟୁରେ ବ୍ୟାୟାମ କରିବାର ସମସ୍ତ ଉପକାର ଫୁଟବଲ୍‌ ଖେଳରୁ ମିଳିଥାଏ। ତହିଁ ସଙ୍ଗେ ସଙ୍ଗେ ମିଳିଥାଏ ମନରେ ଅସୀମ ଆନନ୍ଦ। ଏହି କ୍ରୀଡ଼ାଦ୍ଵାରା ରକ୍ତ ସଞ୍ଚାଳନ ଭଲ ଭାବରେ ହୁଏ। ବହୁ ଅମ୍ଳଜାନ ଶରୀର ମଧ୍ୟକୁ ପ୍ରବେଶ କରେ ଏବଂ ରକ୍ତକୁ ପରିଶୋଭିତ କରେ। ଶରୀରରୁ ସ୍ଵେଦ ନିର୍ଗତ ହୋଇ ଚର୍ମର ନିମ୍ନଭାଗକୁ ପରିଷ୍କାର କରେ। ଫୁସ୍‌ଫୁସ୍ ଓ ହୃଦ୍‌ଯନ୍ତ୍ର ସୁଦୃଢ଼ ହୁଏ। ମାଂସପେଶୀ ସୁଦୃଢ଼ ହୁଏ। ଅବୟବ ସୁଗଠିତ, ସୁନ୍ଦର ଓ ବଳିଷ୍ଠ ହୁଏ। ଶରୀରରେ ଉଜ୍ଜ୍ବଳତା ଓ କାରି ଫୁଟିଉଠେ। ପାକଯନ୍ତ୍ର କର୍ମଠ ହୁଏ ଏବଂ ଶରୀର ବଳିଷ୍ଠ ହୁଏ। ଜଡ଼ତା ଦୂର ଏବଂ ସ୍ନାୟୁ ମଣ୍ଡଳୀୟ ଜୀବନଶକ୍ତି ବଢ଼ିଯାଏ ।

ଏହି କ୍ରୀଡ଼ାରେ ଖେଳାଳିମାନଙ୍କର ଶୃଙ୍ଖଳାଜ୍ଞାନ ବଢ଼େ। ସେମାନେ ସହନଶୀଳତା ଓ ଉପଯୁକ୍ତ ବ୍ୟବହାର ଶିକ୍ଷା ଲାଭ କରନ୍ତି। ଇଂଲଣ୍ଡର ନ୍ୟାରୋ ଓ ଇଟନ୍‌ ନାମକ ଦୁଇଟି ବିଦ୍ୟାଳୟରେ ଫୁଟ୍‌ବଲ୍‌ ଖେଳ ଉପରେ ଜୋର୍ ଦିଆଯାଏ। ପ୍ରବାଦ ଅଛି, ଇଂଲଣ୍ଡର ବଡ଼ ବଡ଼ ଶାସକ ଓ ସେନାପତିମାନେ ହ୍ୟାରୋ ଓ ଇଟନ୍‌ର ଖେଳପଡ଼ିଆରୁ ଗଢ଼ିଉଠନ୍ତି। ବାସ୍ତବରେ ଫୁଟବଲ୍‌ ଖେଳାଳିଠାରେ ବଡ଼ ବଡ଼ ଶାସକ ଓ ସେନାପତିର କୌଶଳ ଫୁଟି ଉଠିବାର ଯଥେଷ୍ଟ କ୍ଷେତ୍ର ରହିଅଛି।

ଫୁଟ୍‌ବଲ୍‌ ଖେଳର ପ୍ରଣାଳୀ ଓ ନିୟମାବଳୀ :–

ଫୁଟ୍‌ବଲ୍‌ ଏକ ଆକୁଞ୍ଚନ ଓ ପ୍ରସାରଣଶୀଳ ରବରଥଳି। ବାୟୁ ପ୍ରବେଶ କରାଇ ଏହାକୁ ଗୋଲାକାର କରାଯାଏ। ଏହାକୁ ବେଢ଼ି ଗୋଟିଏ ଚମଡ଼ା ଖୋଳ ଅଛି। ପ୍ରଥମେ ରବରଥଳିଟିକୁ ଜାକିଜୁକି ଚମଡ଼ା ଖୋଳ ମଧ୍ୟରେ ଭର୍ତ୍ତି କରାଯାଏ। ତତ୍ପରେ ସେହି ରବରଥଳିର ଚଞ୍ଚୁବାଟେ ବାୟୁ ପ୍ରବେଶ କରାଇ ଚଞ୍ଚୁଟିକୁ ସୁତୁଲି ସାହାଯ୍ୟରେ ଦୃଢ଼ ଭାବରେ ବାନ୍ଧି ଦିଆଯାଏ। ଏହାପରେ ସେହି ଚଞ୍ଚୁଟିକୁ ଚମଡ଼ାଖୋଳରେ ପାଟି ସହିତ ସମତଳ କରି ବାନ୍ଧିଦିଆଯାଏ। ବିଭିନ୍ନ ବୟସର ପିଲାଙ୍କ ପାଇଁ କ୍ଷୁଦ୍ର ବୃହତ୍ ବିଭିନ୍ନ ଫୁଟ୍‌ବଲ୍‌ମାନ ରହିଅଛି। ଫୁଟ୍‌ବଲ୍‌ ଖେଳ ନିମିତ୍ତ ୧୧୫ ଗଜ ଲମ୍ବ ଓ ୭୫ ଗଜ ଓସାରବିଶିଷ୍ଟ ଏକ ଆୟତକ୍ଷେତ୍ର ଆବଶ୍ୟକ। ଏହି କ୍ଷେତ୍ରରେ ଲମ୍ବ ବିସ୍ତାରର ଉଭୟ ସୀମାରେ ଦୁଇଟି ଲକ୍ଷ୍ୟଦ୍ଵାର ବା ଲକ୍ଷ୍ୟସ୍ଥଳୀ (Goal-post) ନିର୍ମିତ ହୋଇଥାଏ। କୌଣସି ପକ୍ଷ ଖେଳରେ ସମସ୍ତ ନିୟମ ମାନି ଅପର ପକ୍ଷର ଲକ୍ଷ୍ୟସ୍ଥଳୀ ମଧ୍ୟରେ ବଲ୍ ପ୍ରବେଶ କରାଇଦେଲେ ଜୟଲାଭ କଲା ବୋଲି ଘୋଷିତ ହୁଏ ।

ଫୁଟ୍‌ବଲ୍‌ ଖେଳ ଦୁଇଟି ଦଳ ମଧ୍ୟରେ ହୁଏ। ପ୍ରତି ଦଳରେ ଏଗାର ଜଣ ଖେଳାଳି ଖେଳନ୍ତି। ଏହି ଏଗାର ଜଣଙ୍କ ମଧ୍ୟରୁ ଜଣେ ଦ୍ଵାରରକ୍ଷକ (Goal-keeper), ଚାରିଜଣ ପୃଷ୍ଠରକ୍ଷୀ (Back) ଦୁଇଜଣ ଉପପୃଷ୍ଠରକ୍ଷୀ (Half back), ଜଣେ ଦକ୍ଷିଣ" ପାର୍ଶ୍ଵରକ୍ଷକ (Right out), ଜଣେ ବାମ ପାର୍ଶ୍ଵରକ୍ଷକ (Left out), ଏବଂ ଦୁଇ ଜଣ କେନ୍ଦ୍ର ସାମ୍ମୁଖ୍ୟ (Center forward) ରୂପେ ଖେଳନ୍ତି। ଫୁଟ୍‌ବଲ୍‌ ଖେଳ କ୍ରୀଡ଼ାଭୂମିର କେନ୍ଦ୍ରସ୍ଥଳରୁ ଆରମ୍ଭ କରାଯାଏ।

ଫୁଟବଲ୍‌ ଖେଳରେ କେତେଗୁଡ଼ିଏ ନିୟମ ମାନିବାକୁ ହୁଏ; ଯଥା:—

ଗୋଲ୍-କିପର୍ ବ୍ୟତୀତ ଅନ୍ୟମାନେ ଫୁଟ୍‌ବଲ୍‌କୁ ହାତରେ ଛୁଇଁପାରିବେ ନାହିଁ। ଏପରିକି କୌଣସି ଖେଳାଳି ଫୁଟ୍‌ବଲ୍‌ଟିକୁ ଗୋଡ଼ରେ ମାରିବା ପରେ ଅନ୍ୟ ଜଣେ ଖେଳାଳି ଯଦି ଉଦ୍ଦେଶ୍ୟମୂଳକଭାବେ ବଲ୍‌ଟିକୁ ହାତରେ ଅଟକାଇ ଦିଏ ; ଉକ୍ତ ଦ୍ଵିତୀୟ ଖେଳାଳିଟି ନିୟମାନୁସାରେ ହ୍ୟାଣ୍ଡ୍‌ବଲ୍ ଦୋଷରେ ଦୋଷୀହୁଏ। ନିଜ ପକ୍ଷକୁ ଯାଇ କୌଣସି ଖେଳାଳି ନିଜ ପଟରେ ଥିବା ବିଲ୍‌କୁ ଯଦି ଗୋଲ୍‌ପୋଷ୍ଟ ବାହାରେ ପଶ୍ଚାତ୍ ଭାଗକୁ ନିକ୍ଷେପ କରେ, ତେବେ ସେ ମଧ୍ୟ ଦୋଷଯୁକ୍ତ ହୁଏ। ଏହା ବ୍ୟତୀତ ବ୍ୟାକ୍ ଏରିଆ ଭିତରେ ଅପରପକ୍ଷ ଖେଳାଳିକୁ ଯଦି ଗୁରୁତର ଫାଉଲ କରାଯାଏ ତାହାହେଲେ ଏଭଳି ଦୋଷ ପାଇଁ ଖେଳ ନିୟମରେ ଦଣ୍ଡ ବା penalty ର ବ୍ୟବସ୍ଥା ରହିଅଛି।

ଫୁଟ୍‌ବଲ୍ ପ୍ରତିଯୋଗିତା :-

ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ବିଭିନ୍ନ ଶ୍ରେଣୀ, ବିଭିନ୍ନ ଗ୍ରାମ୍ୟ ଓ ନାଗରିକ ଦଳ ଯୋଗଦାନ କରନ୍ତି। ବିଭିନ୍ନ ରାଜ୍ୟ ଓ ବିଭିନ୍ନ ଦେଶ ମଧ୍ୟରେ ଫୁଟ୍‌ବଲ୍‌ ପ୍ରତିଯୋଗିତା ହୁଏ। ଆନ୍ତର୍ଜାତିକ ଫୁଟ୍‌ବଲ୍‌ ମ୍ୟାଗୁଡ଼ିକରେ ବିଭିନ୍ନ ଦେଶ ବିଭିନ୍ନ ସମୟରେ ବିଜୟଲାଭ କରନ୍ତି। ଫୁଟ୍‌ବଲ୍ ମ୍ୟାଚ୍ ବିଜୟୀମାନଙ୍କୁ ଢାଲ (Shield) ଓ ଗିନା (cup) ଇତ୍ୟାଦି ବିଜୟର ନିଦର୍ଶନ ସ୍ୱରୂପ ପ୍ରଦାନ କରିବାର ଚଳଣି ରହିଅଛି।

ତୁମେ ଯୋଗ ଦେଇଥିବା କୌଣସି ଫୁଟ୍‌ବଲ୍‌ ପ୍ରତିଯୋଗିତା :-

ମୁଁ ବର୍ତ୍ତମାନ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାର ପରୀକ୍ଷାର୍ଥୀ। ଏପର୍ଯ୍ୟନ୍ତ ମୋର ଛାତ୍ରଜୀବନରେ ମୁଁ ଅନ୍ୟୁନ କୋଡ଼ିଏଟି ପ୍ରତିଯୋଗିତାରେ ଯୋଗ ଦେବାର ସୁଯୋଗ ଲାଭ କରିଛି। କ୍ରୀଡ଼ାରେ ପୃଷ୍ଠରକ୍ଷୀ ଭାବରେ ମୋର ସୁନାମ ରହିଛି ଏବଂ ସେଥିପାଇଁ ମୁଁ ବହୁତ ଥର ପୁରସ୍କୃତ ହୋଇଅଛି; କାରଣ ଝୁନ୍‌ ଝୁନ୍‌ଲା ବିଦ୍ୟାପୀଠର ଖେଳାଳି ଦଳରେ ଥରେ ବାଙ୍କୀ ବିଦ୍ୟାପୀଠର ଖେଳାଳିମାନଙ୍କ ସହିତ ବାଙ୍କୀ କ୍ରୀଡ଼ାଭୂମିରେ ମୋତେ ଶେଷ ପ୍ରତିଯୋଗିତାରେ ଖେଳିବାକୁ ପଡ଼ିଥିଲା। ଖେଳ ଅବଶ୍ୟ ଅମୀମାଂସିତ ରହିଥୁଲା ; କିନ୍ତୁ ପୃଷ୍ଠରକ୍ଷୀ ଭାବରେ ମୋର କ୍ରୀଡ଼ା-କୌଶଳକୁ ଉଭୟ ପକ୍ଷ ପ୍ରଶଂସା କରିଥିଲେ ।

ଉପସଂହାର :–

ଫୁଟ୍‌ବଲ୍‌ ଖେଳ ଅବଶ୍ୟ ମୋର ପ୍ରିୟ ଖେଳ, ଏଥରେ କୌଣସି ସନ୍ଦେହ ନାହିଁ ; କିନ୍ତୁ ଯେକୌଣସି ବ୍ୟକ୍ତି ଫୁଟ୍‌ବଲ୍‌ ଖେଳିବାକୁ ଆରମ୍ଭ କଲେ ଏହି ଖେଳ ତା’ ନିକଟରେ ପ୍ରିୟ ହୋଇ ଉଠିବ; କାରଣ ଏ ଖେଳ ଆନନ୍ଦଦାୟକ ଓ ଅତି ଉପାଦେୟ। ପୂର୍ବରୁ ପୃଥିବୀର ଅଧିକାଂଶ ଖେଳାଳି ଫୁଟ୍‌ବଲ୍‌ ଖେଳରେ ହିଁ ଆଗ୍ରହୀ ଥିଲେ; ମାତ୍ର ଆଜିକାଲି କ୍ରିକେଟ୍ ଖେଳର ଚାହିଦା ବଢ଼ିବାରେ ଲାଗିଛି।

*****


Comments