Skip to main content

Recent Post

EDUCATIONAL TECHNOLOGY

  EDUCATIONAL TECHNOLOGY 1 UNIT From the ancient abacus to handheld calculators, from slide projectors and classroom film strips to virtual reality and next-generation e-learning, educational technology continues to evolve in exciting new ways inspiring teachers and students alike. Technology is continually changing the way we work and play, create and communicate. So it's only natural that advancements in digital technology are also creating game-changing opportunities in the world of education. For teachers, technology is opening up new possibilities to enrich and stimulate young minds. Today, there is growing excitement around the potential for assistive technology, virtual and augmented reality, high-tech collaboration tools, gamification, podcasting, blogging, 3D printing, artificial intelligence, personalized learning and much more. Educational technology is a systematic and organized process of applying modern technology to improve the quality of education (efficie...

Odia Essay- Banamahoschhaba

 ପ୍ରବନ୍ଧ ବନମହୋତ୍ସବ

Odia essay banamahoschhaba poster


ଉପକ୍ରମ :-

ଦେଶର ଅର୍ଥନୈତିକ ଜୀବନରେ ବନଭୂମିର ଆବଶ୍ୟକତା କାହାରିକୁ ଅବିଦିତ ନାହିଁ । ବହୁ ଦେଶ ନିଜର ବୈଶିଷ୍ଟ୍ୟପୂର୍ଣ୍ଣ ବନଜାତ ଦ୍ରବ୍ୟଦ୍ବାରା ହିଁ ଧନଶାଳୀ ହୋଇଉଠିଛନ୍ତି। ଭାରତର ସୁବିସ୍ତୃତ ବନଭୂମି ଭାରତବର୍ଷର ଅର୍ଥନୈତିକ ବିକାଶରେ ଏକ ଗୁରୁତ୍ଵପୂର୍ଣ ଅଂଶଗ୍ରହଣ କରିଅଛି। ଆଧୁନିକ ଓଡ଼ିଶା ଭୂଖଣ୍ଡର ତ୍ରୟ-ପଞ୍ଚମାଂଶ ନିଘଞ୍ଚ ବନାନୀ ଦ୍ଵାରା ଆଚ୍ଛାଦିତ। ଏହି ସୁବିସ୍ତୃତ ବନାନୀ ମଧ୍ୟରୁ ନାନାବିଧ ମହୁ ମୂଲ୍ୟବାନ୍ କାଷ୍ଠ, ବେତ୍ର, କାଷ୍ଠପତ୍ର, ଔଷଧ ବୃକ୍ଷ, ସୁନାରୀଛେଲି, ଲାଖ, ଝୁଣା, ମହୁ, ହାତୀଦାନ୍ତ, ଅସ୍ଥି, ଚର୍ମ, ଶିଙ୍ଗ, ନାନାବିଧ ଫଳ, ନାନାବିଧ ପଶୁ ଓ ପକ୍ଷୀ ମିଳିଥାଏ। ଏହାଦ୍ଵାରା ରାଜ୍ୟର ଅର୍ଥଭଣ୍ଡାର ବହୁପରିମାଣରେ ପରିପୂର୍ଣ୍ଣ ହୋଇଥାଏ। ମେଘ ଆକର୍ଷଣଶକ୍ତି ନିଘଞ୍ଚ ବନାନୀର ଆଉ ଏକ ନୈସର୍ଗିକ ଗୁଣ। ଅସୀମ ଆକାଶର ତୁଙ୍ଗ ଭାଗରେ ଭାସମାନ ମେଘମାଳାକୁ ବନଭୂମି ହିଁ ଆକର୍ଷଣ କରିଥାଏ ; ତେଣୁ ଦେଶରେ ଜଳାଭାବ ଓ ମରୁଡ଼ିର ଆଶଙ୍କା ରହିପାରେ ନାହିଁ। ବର୍ଷଣଲବ୍‌ଧ ଜଳରାଶିକୁ ଏହି ନିଘଞ୍ଚ କାନନ ହିଁ ତା’ର ନିବିଡ଼ ବୃକ୍ଷଲତା ଓ ଗୁଳ୍ମସମ୍ଭାରଦ୍ଵାରା ସଞ୍ଚା କରି ସାରାବର୍ଷଧରି କ୍ରମେ କ୍ରମେ ନଦନଦୀଙ୍କୁ ଅର୍ପଣ କରେ ; ତେଣୁ ତୀରବାସୀ ଜନସାଧାରଣ ସାରାବର୍ଷ ଧରି ଜଳପ୍ରାପ୍ତିର ସୌଭାଗ୍ୟ ଲାଭ କରିଥା’ନ୍ତି। ଦେଶରେ ମୃତ୍ତିକା ସଂରକ୍ଷଣରେ ବନଭୂମିର କାର୍ଯ୍ୟ ଉଲ୍ଲେଖଯୋଗ୍ୟ ; କିନ୍ତୁ ଅଧୁନା ଜନସାଧାରଣଙ୍କର ଦୂରଦର୍ଶିତାର ଅଭାବ ହେତୁ ଭାରତର ବନସମ୍ପଦ କ୍ରମେ ଖର୍ଚ୍ଚ ହେବାକୁ ବସିଅଛି। ଦେଶର ବୃହତ୍ତମ ସ୍ଵାର୍ଥ ଦୃଷ୍ଟିରୁ ବନଭୂମିକୁ ଅଦୂରଦର୍ଶୀ ଠିକାଦାର ଏବଂ କତିପୟ ଅଜ୍ଞ ଜନଗୋଷ୍ଠୀଙ୍କର ସଂକୀର୍ଣ୍ଣ ସ୍ଵାର୍ଥସଂପୃକ୍ତ ଆକ୍ରମଣରୁ ରକ୍ଷା କରିବା ଯେତିକି ଆବଶ୍ୟକ, ନୂତନ ଚାରାସବୁ ରୋପଣ କରି ନୂତନ ବନଭୂମିମାନ ସୃଷ୍ଟି କରିବା ସେତିକି ଆବଶ୍ୟକ। ଏହା କେବଳ ସରକାରଙ୍କର ଜଙ୍ଗଲ ବିଭାଗର ଦାୟିତ୍ଵରେ ସୀମାବଦ୍ଧ ରହିବା ଅନୁଚିତ। ଏଥିରେ ଦେଶର ଜନସାଧାରଣଙ୍କର ମଧ୍ୟ ଗୁରୁଦାୟିତ୍ଵ ଓ ନିଷ୍ଠାପୂର୍ଣ୍ଣ କର୍ତ୍ତବ୍ୟ ରହିବା ଆବଶ୍ୟକ। ଭାରତବର୍ଷରେ ଏହପରି ଏକ ଉପାଦେୟ ବାୟୁମଣ୍ଡଳ ସୃଷ୍ଟି କରିବା ପାଇଁ ଏବଂ ଦେଶର ଜନସାଧାରଣ ତଥା ଛାତ୍ରସାଧାରଣଙ୍କୁ ଏ ଦିଗରେ ପ୍ରଭାବିତ କରିବା ପାଇଁ ଭାରତ ସରକାର ପ୍ରତିବର୍ଷ ସମଗ୍ର ଭାରତବର୍ଷରେ ବନମହୋତ୍ସବ ପାଳନର ସୁବ୍ୟବସ୍ଥା କରିଅଛନ୍ତି।

ବନମହୋତ୍ସବ ପାଳନ ସମୟ :–

ଭାରତ ସରକାରଙ୍କ ସାଧୁ ଉଦ୍ୟମ ଫଳରେ ବିଗତ ୧୯୫୦ ଖ୍ରୀଷ୍ଟାବ୍ଦରୁ ଭାରତବର୍ଷର ସକଳ ସ୍ଥାନରେ ପ୍ରତ୍ୟେକ ବର୍ଷ ବନମହୋତ୍ସବ ପାଳିତ ହେଉଅଛି। ବନମହୋତ୍ସବ ପ୍ରତିବର୍ଷ ଆଷାଢ଼ ମାସ ମଧ୍ୟରେ ଏକ ସପ୍ତାହବ୍ୟାପୀ ଅନୁଷ୍ଠିତ ହୁଏ ; ତେଣୁ ଏହି ମହୋତ୍ସବକୁ ବନମହୋତ୍ସବ ସପ୍ତାହ ବୋଲି କୁହାଯାଏ। ଆଷାଢ଼ ମାସ ହିଁ ଆଦ୍ୟ ମୌସୁମୀର ବାରିପ୍ରବାହ ହେତୁ ବୃକ୍ଷରୋପଣ ନିମିତ୍ତ ସୁପ୍ରଶସ୍ତ ଅଟେ; ତେଣୁ ବନମହୋତ୍ସବ ପାଳନ ନିମିତ୍ତ ଏହି ସମୟ ହିଁ ଉପଯୁକ୍ତ ଅଟେ।

ବନମହୋତ୍ସବ ପାଳନ ପଦ୍ଧତି :–

ବନମହୋତ୍ସବ କାଳ ଆଗତପ୍ରାୟ ଦେଖି ଭାରତ ସରକାରଙ୍କ ଜଙ୍ଗଲ ବିଭାଗ ବଡ଼ ତତ୍ପର ହୋଇଉଠନ୍ତି। ଜଙ୍ଗଲ ବିଭାଗର ଉଚ୍ଚ କର୍ମକର୍ତ୍ତାଙ୍କଠାରୁ ଆରମ୍ଭ କରି ନିମ୍ନ କର୍ମଚାରୀ ପର୍ଯ୍ୟନ୍ତ ସମସ୍ତେ ଏଥନିମିତ୍ତ ପ୍ରସ୍ତୁତିରେ ଲାଗିପଡ଼ନ୍ତି। ଏହି ଉତ୍ସବ ପାଳନ ପଦ୍ଧତି ବର୍ଣ୍ଣନା କରି ସରକାରଙ୍କର ବିଭିନ୍ନ ବିଭାଗକୁ ସମ୍ବାଦ ପ୍ରେରିତ ହୁଏ। ତଦନୁସାରେ ଅନ୍ୟାନ୍ୟ ସରକାରୀ ବିଭାଗଗୁଡ଼ିକ ମଧ୍ୟ ବନମହୋତ୍ସବ ପାଳନ ନିମିତ୍ତ ନିଜ ନିଜର କର୍ମଚାରୀଙ୍କୁ ଜାଗ୍ରତ କରି ରଖନ୍ତି। ସରକାରୀ ବିଭାଗଗୁଡ଼ିକ ସହିତ ସଂପୃକ୍ତ ବେସରକାରୀ ଅନୁଷ୍ଠାନଗୁଡ଼ିକୁ ମଧ୍ୟ ଏହି ମହୋତ୍ସବ ପାଳନ କରିବା ନିମିତ୍ତ ଅନୁରୋଧପତ୍ର ପ୍ରେରିତ ହୁଏ। ଦେଶର ଶିକ୍ଷାବିଭାଗ ଏହିପରି ଭାବରେ ଅନୁରୁଦ୍ଧ ହୋଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନଙ୍କ ନିକଟକୁ ନିର୍ଦ୍ଦେଶପତ୍ର ପ୍ରେରଣ କରନ୍ତି। ପଲ୍ଲୀଭୂମିର ନିର୍ବାଚିତ ସଙ୍ଗଠନ, ଗ୍ରାମପଞ୍ଚାୟତଗୁଡ଼ିକ ନିର୍ଦ୍ଦେଶ ପାଇ ତତ୍ପର ହୋଇଉଠନ୍ତି। ବନମହୋତ୍ସବ ପାଳନ ନିମିତ୍ତ ସାରା ଭାରତବର୍ଷରେ ଏକ ବ୍ୟାପକ ଉନ୍ମାଦନା ଖେଳିଯିବାର ଦେଖାଯାଏ ।

ବନମହୋତ୍ସବ ପାଳନର ପ୍ରଧାନ କର୍ତ୍ତବ୍ୟ ହେଉଛି ନୂତନ ବୃକ୍ଷରୋପଣ। ବନମହୋତ୍ସବ ସପ୍ତାହରେ ପ୍ରତ୍ୟେକ ବ୍ୟକ୍ତି ଅନ୍ତତଃ ଗୋଟିଏ ଲେଖାଏଁ ବୃକ୍ଷରୋପଣ କରିବେ ଏବଂ ଉକ୍ତ ରୋପିତ ବୃକ୍ଷ ଚେର ବିସ୍ତାର କରି ବଞ୍ଚିପାରିଲା ପର୍ଯ୍ୟନ୍ତ ତା’ର ରକ୍ଷଣାବେକ୍ଷଣ ପ୍ରତି ଦୃଷ୍ଟି ଦେଉଥିବେ। ପ୍ରତ୍ୟେକ ବ୍ୟକ୍ତି ନିଜେ ବୃକ୍ଷରୋପଣ କରିବେ ଏବଂ ଏହିପରି ଭାବରେ ବୃକ୍ଷରୋପଣ କରିବା ନିମନ୍ତେ ଅନ୍ୟମାନଙ୍କୁ ପ୍ରବର୍ତ୍ତାଇବେ।

ଭାରତର ବନମହୋତ୍ସବ ପାଳନରେ ଭାରତର ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଅନ୍ୟାନ୍ୟ ଲୋକପ୍ରତିନିଧ୍ୟ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟମନ୍ତ୍ରୀଗଣ ଅଂଶଗ୍ରହଣ କରନ୍ତି। ସେମାନେ ମଧ୍ୟ ନିର୍ଦ୍ଦିଷ୍ଟ ସ୍ଥାନରେ ବୃକ୍ଷରୋପଣ କରି ଏହି ଉତ୍ସବ ପାଳନ କରିଥା’ନ୍ତି। ସେମାନେ ମହୋତ୍ସବ ସପ୍ତାହ ପାଳନର ଉଦ୍ଦେଶ୍ୟ ଓ ଉପକାରିତା ବିଷୟରେ ବିଭିନ୍ନ ସଭାସମିତିରେ ଭାଷଣ ଦିଅନ୍ତି। ଜନସାଧାରଣଙ୍କ ଉଦ୍ଦେଶ୍ୟରେ ସମ୍ବାଦପତ୍ରଗୁଡ଼ିକୁ ଏ ବିଷୟରେ ଉପାଦେୟ ବାର୍ଭାମାନ ପ୍ରେରଣ କରନ୍ତି। ବନମହୋତ୍ସବ ପାଳନ ପ୍ରସଙ୍ଗ ଏବଂ ବନଭୂମିର ଉପାଦେୟତା ସମ୍ପର୍କରେ ବହୁ ଉପାଦେୟ ପ୍ରବନ୍ଧ ସମ୍ବାଦପତ୍ରର ପୃଷ୍ଠାଗୁଡ଼ିକରେ ପରିପୂର୍ଣ ହୁଏ। ବନମହୋତ୍ସବ ନିମିତ୍ତ ବ୍ୟାପକ କାର୍ଯ୍ୟକ୍ରମ ଘେନି ଭାରତର ଆକାଶବାଣୀ ମଧ୍ୟ ତତ୍ପର ହୋଇଉଠନ୍ତି। ସେହି ଉତ୍ସବରେ ସ୍କୁଲ କଲେଜର ଛାତ୍ରଛାତ୍ରୀମାନେ ସେମାନଙ୍କର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହିତ ଯୋଗଦାନ କରିବାର ଦେଖାଯାଏ। ସେମାନେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ପ୍ରାଙ୍ଗଣରେ ବୃକ୍ଷମାନ ରୋପଣ କରି ସେଗୁଡ଼ିକର ତତ୍ତ୍ଵାବଧାନ କରନ୍ତି। ବନମହୋତ୍ସବ ଉତ୍ସବରେ ରୋପଣଯୋଗ୍ୟ ବୃକ୍ଷମାନଙ୍କ ମଧ୍ୟରେ ଆମ୍ବ, ପଣସ, ବଂଶକୁଞ୍ଜ, ନିମ୍ବ, ବର ଓ ଅଶ୍ଵତ୍‌ଥ ବୃକ୍ଷ ପ୍ରଧାନ ଅଟେ।

ଉପସଂହାର :–

ଭାରତରେ ଅର୍ଥନୈତିକ ବିକାଶ ତଥା କୃଷିର ଉନ୍ନତିଦ୍ୱାରା ଦେଶବାସୀଙ୍କର ଖାଦ୍ୟସଂସ୍ଥାନ ପାଇଁ ବୃକ୍ଷସଂପଦ ବୃଦ୍ଧିର ଆବଶ୍ୟକତାକୁ କେହି ଅସ୍ଵୀକାର କରିପାରିବେ ନାହିଁ। ବୃକ୍ଷସମ୍ପଦର ବୃଦ୍ଧି ଘଟିଲେ ଦେଶରେ ଜାଳେଣି କାଠର କୌଣସି ଅଭାବ ରହିବ ନାହିଁ। ତାହା ହେଲେ ଦେଶବାସୀ ଗୋବରସବୁକୁ ଜାଳରୂପେ ବ୍ୟବହାର ନ କରି ସେଗୁଡ଼ିକୁ କୃଷି କ୍ଷେତ୍ରରେ ପ୍ରୟୋଗ କରିବାର ସୁଯୋଗ ଲାଭ କରିପାରିବେ। କୃଷିକ୍ଷେତ୍ରରେ ଉତ୍ପାଦିକା ଶକ୍ତିକୁ ଗଠନମୂଳକ ଭାବରେ ବୃଦ୍ଧି କରିବାର ଶକ୍ତି ପ୍ରଧାନତଃ ଗୋମୟ ମଧ୍ୟରେ ରହିଅଛି; ତେଣୁ ପ୍ରତ୍ୟେକ ଗ୍ରାମରେ ଗ୍ରାମବାସୀଙ୍କ ନିମିତ୍ତ ବୃକ୍ଷସମ୍ପଦ ବୃଦ୍ଧି କରିବା ଏକାନ୍ତ ଆବଶ୍ୟକ। ପ୍ରତ୍ୟେକ ବର୍ଷ ବନମହୋତ୍ସବ ଆମ୍ଭମାନଙ୍କୁ ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ଯରେ ଏ ବିଷୟକୁ ମଧ୍ୟ ସ୍ମରଣ କରାଇଦିଏ। ଦେଶର ବୃକ୍ଷସମ୍ପଦ ବୃଦ୍ଧି ନିମିତ୍ତ ଛାତ୍ରଛାତ୍ରୀମାନଙ୍କର ମଧ୍ୟ ଗୁରୁକର୍ତ୍ତବ୍ୟ ରହିଅଛି। ଉପାଦେୟ ଫଳବୃକ୍ଷ ରୋପଣ, ଫଳ ଉଦ୍ୟାନ ସୃଷ୍ଟି ଏବଂ ଅନ୍ୟାନ୍ୟ ବୃକ୍ଷରୋପଣ ଛାତ୍ରଛାତ୍ରୀମାନଙ୍କଦ୍ୱାରା ସମ୍ଭବ। ସେମାନେ ବନମହୋତ୍ସବରେ ଉପଯୁକ୍ତ ଅଂଶ ଗ୍ରହଣ କରି ଦେଶର ଜନସାଧାରଣଙ୍କ ସମ୍ମୁଖରେ ସମୁଚିତ ଆଦର୍ଶ ଉପସ୍ଥାପିତ କରିବେ ବୋଲି ଆଶା କରାଯାଏ।

*****


Comments