Recent Post
- Get link
- X
- Other Apps
Odia Essay Cricket khela, କ୍ରିକେଟ ଖେଳ ।
କ୍ରିକେଟ ଖେଳ
ଉପକ୍ରମ :-
ବ୍ୟାଟ୍, ବଲ୍ ଓ ଉଇକେଟ୍କୁ ନେଇ ଯେଉଁ ଖେଳ ଖେଳାଯାଏ, ସେହି ଖେଳ କ୍ରିକେଟ୍ ଖେଳ ନାମରେ ପରିଚିତ। କ୍ରିକେଟ୍ ଖେଳ ଇଂଲଣ୍ଡର ଜାତୀୟ ଖେଳ (National Game) ଅଟେ। ପୁରୁଣା କାଳରୁ ଇଂଲଣ୍ଡ୍ରେ କ୍ରିକେଟ୍ ଖେଳର ପ୍ରଚଳନ ରହିଛି। କ୍ରିକେଟ୍ ଖେଳ ତ୍ରୟୋଦଶ ଶତାବ୍ଦୀରେ ଇଂଲଣ୍ଡ୍ରେ ଖେଳାଯାଉଥିବାର ପ୍ରମାଣ ମିଳିଅଛି। ତେବେ ତାରପୂର୍ବରୁ ଇଂଲଣ୍ଡ୍ରେ କ୍ରିକେଟ୍ ଖେଳ ଅନୁନ୍ନତ ଅବସ୍ଥାରେ ରହିଥିଲା ବୋଲି ଜଣାଯାଇଅଛି । ତ୍ରୟୋଦଶ ଶତାବ୍ଦୀରେ କ୍ରିକେଟ୍ ସେଠାରେ ଯେଭଳି ଭାବରେ ଖେଳାଯାଉଥିଲା । ତାହା ବିଶେଷ ଉନ୍ନତ ଧରଣର ନ ଥିଲା। କ୍ରମେ ନାନାଦି ନୀତିନିୟମ ଗଢ଼ାଯାଇ ଏହି ଖେଳ ଅଧିକ ଉନ୍ନତ ଅବସ୍ଥାକୁ ଆସିଲା। ଇଂଲଣ୍ଡର ଏହା ବିଶେଷ ଲୋକପ୍ରିୟ ଜାତୀୟ ଖେଳ ହୋଇଥିଲେ ମଧ୍ୟ କ୍ରମେ ଏହା ଇଉରୋପ ମହାଦେଶ ଓ ବିଶ୍ବର ଅନ୍ୟାନ୍ୟ ପ୍ରାନ୍ତକୁ ବ୍ୟାପିଯାଇଥିଲା । କ୍ରିକେଟ୍ ଖେଳ ବର୍ତ୍ତମାନ ଆନ୍ତର୍ଜାତିକ ସ୍ତରରେ ଖେଳାଯାଉଅଛି ଓ ସେଥିପାଇଁ ଆନ୍ତର୍ଜାତିକ ନୀତିନିୟମ ଗଢ଼ାହୋଇଅଛି।
ଫୁଟ୍ବଲ୍ ଖେଳ ପରି କ୍ରିକେଟ୍ ଖେଳ ମଧ୍ୟ ଇଂରେଜ୍ମାନଙ୍କଦ୍ଵାରା ଭାରତକୁ ଆନୀତ ହୋଇଥିଲା; ମାତ୍ର ଭାରତରେ ଫୁଟ୍ବଲ୍ ଖେଳ ଯେପରି ଲୋକପ୍ରିୟ ହୋଇଉଠିଥିଲା, କ୍ରିକେଟ୍ ଖେଳ ପ୍ରଥମେ ସେପରି ଲୋକପ୍ରିୟତା ଅର୍ଜନ କରିପାରି ନଥିଲା। ଏଇ ଅଳ୍ପ କେତେ ବର୍ଷ ହେଲା କ୍ରିକେଟ୍ ଖେଳ ଭାରତର ସବୁ ପ୍ରାନ୍ତରେ ଲୋକପ୍ରିୟ ହୋଇଉଠିଛି।
କ୍ରିକେଟ୍ ଖେଳର ମୌଳିକ ରୂପ :-
କ୍ରିକେଟ ଖେଳର ମୌଳିକ ରୂପ ସାଧାରଣତଃ ବ୍ୟାଟ୍, ବଲ୍ ଓ ଉଇକେଟକୁ ନେଇ ଗଠିତ। କ୍ରିକେଟ୍ ବ୍ୟାଟ୍ ଲମ୍ବ ୩୮ ଇଞ୍ଚ ଓ ଚଉଡ଼ା ୪ ୧/୪ ଇଞ୍ଚରୁ ଉର୍ଦ୍ଧ ହେବା ନିୟମ ବିରୁଦ୍ଧ; ତେଣୁ ସାଧାରଣତଃ ବ୍ୟାଟ୍ ଲମ୍ବ ପ୍ରାୟ ୩୫ ଇଞ୍ଚ ଓ ଚଉଡ଼ା ପ୍ରାୟ ୪ ଇଞ୍ଚ ରଖାଯାଇଥାଏ। କ୍ରିକେଟ୍ ବ୍ୟାଟ୍ର ହୋଲ୍ଡର ସ୍ଵରୂପ ଅପେକ୍ଷାକୃତ ସରୁଆ ଅଂଶଟିଏ ଥାଏ। ସେହି ଅଂଶରେ ବ୍ୟାଟ୍କୁ ଦୃଢ଼ ଭାବରେ ଧରି ବ୍ୟାଟ୍ ଚାଳନା କରାଯାଏ। କ୍ରିକେଟ୍ ବଲ୍କୁ କାଠରେ ତିଆରି କରାଯାଇ ଚମଡ଼ା ଦ୍ଵାରା ଆବୃତ କରାଯାଇଥାଏ। କ୍ରିକେଟ୍ ବଲ୍ର ଓଜନ ସାଧାରଣତଃ ଏକ ଶହ ପଞ୍ଚାବନ ଗ୍ରାମ ହୋଇଥାଏ ।
କ୍ରିକେଟ୍ ଖେଳରେ ଦୁଇ ସେଟ୍ ଉଇକେଟ୍ ଆବଶ୍ୟକ ହୁଏ। ପ୍ରତି ଉଇକେଟ୍ ସେଟ୍ ତିନୋଟି ଷ୍ଟମ୍ପ ଓ ଦୁଇଗୋଟି ବେଲ୍କୁ ଘେନି ଗଠିତ। ଏହି ତିନିଗୋଟି ଷ୍ଟମ୍ପ ହେଉଛି ତିନିଗୋଟି ବାଡ଼ି ଏବଂ ପ୍ରତ୍ୟେକ ଷ୍ଟମ୍ପର୍ ଉଚ୍ଚତା ୨୮ ଇଞ୍ଚ । ପ୍ରତି ଷ୍ଟମ୍ପର ଗୋଲେଇ ସାଢ଼େ ଚାରି ଇଞ୍ଚରୁ ଅଧିକ ହୁଏ ନାହିଁ। ଏହି ତିନିଗୋଟି ଷ୍ଟମ୍ କ୍ରିକେଟ୍ ପିଚର ଯଥାସ୍ଥାନରେ ପାଖକୁ ପାଖ ପରସ୍ପରଠାରୁ ତିନି ଇଞ୍ଚ ଛଡ଼ାରେ ଦଣ୍ଡାୟମାନ ଭାବରେ ପୋତା ହୋଇ ଭୂମି ଉପରକୁ ଅଠେଇଶ ଇଞ୍ଚ ଉଚ୍ଚତା ପର୍ଯ୍ୟନ୍ତ ଛିଡ଼ା ହୋଇ ରହେ। ଏହି ତିନିଗୋଟି ଷ୍ଟମ୍ପର ଶୀର୍ଷଭାଗରେ ଦୁଇଗୋଟି ବେଲ୍ ବା ଛୋଟ କାଠି ଖଞ୍ଜା ହୋଇଥାଏ । ପ୍ରତି ବେଲ୍ର ଲମ୍ବ ଚାରି ଇଞ୍ଚ ବା ୪ ୩/୮ ଇଞ୍ଚ।
ଏକ ପଡ଼ିଆ ମଧ୍ୟରେ କ୍ରିକେଟ୍ ଖେଳ ପାଇଁ ପରିସୀମା ଗୋଲାକାରରେ ଅଙ୍କିତ ହୋଇଥାଏ। ଏଥିରେ ବୋଲର୍ ଓ ବ୍ୟାଟ୍ସମ୍ୟାନ୍ ଆଦି ବିଭିନ୍ନ ପଦବୀର ଖେଳାଳିମାନଙ୍କ ପାଇଁ ସ୍ଥାନ ସବୁ ନିରୂପଣ କରାଯାଇଥାଏ । ଏହି ପଡ଼ିଆର ମଝିରେ ଗୋଟିଏ ଲେଖାଏଁ ଉଇକେଟ୍ ସେଟ ନିମମାନୁସାରେ ପରସ୍ପର ବିପରୀତ ଦିଗରେ ମୁହାଁମୁହିଁ ଭାବରେ ପରସ୍ପରଠାରୁ ୨୨ ଗଜ ଦୂରତାରେ ପୋଡାଯାଏ । ଏହି ଦୂରତାକୁ ପିଚ୍ କୁହାଯାଏ ।
କ୍ରିକେଟ୍ ଖେଳ ଦୁଇ ଦଳ ଖେଳାଳିଙ୍କ ମଧ୍ୟରେ ଖେଳାଯାଏ। ପ୍ରତି ଦଳରେ ଜଣ ଖେଳାଳି ରହିଥା'ନ୍ତି। ଏହି ଦୁଇ ଦଳ ଖେଳାଳିଙ୍କ ମଧ୍ୟରୁ ଗୋଟିଏ ଦଳ ବୋଲିଂ କରନ୍ତି । ଅର୍ଥାତ ବୋଲିଂ ପକ୍ଷର ଜଣେ ଖେଳାଳି ବିପକ୍ଷ ଦଳର ଉଇକେଟ୍କୁ ଲକ୍ଷ୍ୟକରି ବଲ୍ ନିକ୍ଷେପ କରେ ଏବଂ ଅନ୍ୟ ଦଶ ଜଣ ଖେଳାଳି ପଡ଼ିଆର ବିଭିନ୍ନ ସ୍ଥାନରେ ରହି ବଲଟିର ଗତିକୁ ଲକ୍ଷ୍ୟରଖି ଫିଲଡ଼ିଙ୍ଗ କରନ୍ତି। ବୋଲର୍ ଛଅ ଥର ବଲ୍ ନିକ୍ଷେପ କଲେ ଗୋଟିଏ 'ଓଭର' ହୁଏ । ଓଭର ଶେଷ ହେଲେ ବୋଲିଂ ପକ୍ଷର ଆଉ ଜଣେ ଖେଳାଳି ବୋଲି କରିବାକୁ ଆସନ୍ତି । ଏପରି ବୋଲିଂ ପକ୍ଷର ଜଣକପରେ ଜଣେ ଖେଳାଳି ବୋଲିଂ କରିବାକୁ ଆସନ୍ତି ।
ଅନ୍ୟ ଦଳଟି ବ୍ୟାଟିଂ କରନ୍ତି । ଅର୍ଥାତ୍ ବୋଲିଂ ପକ୍ଷରୁ ନିକ୍ଷିପ୍ତ ବଲ୍କୁ ବ୍ୟାଟିଂ ପକ୍ଷର ବ୍ୟାଟସମ୍ୟାନ୍ ନିରୂପିତ ସ୍ଥାନରେ ଛିଡ଼ା ହୋଇ ବ୍ୟାଟ୍ ଚାଳନାଦ୍ଵାରା ଦୂରେଇ ବଦେବାକୁ ଚେଷ୍ଟା କରେ । ଉଇକେଟ୍ ଠାରୁ ଆଗକୁ ଚାରିଫୁଟ ଦୂରରେ ଗାର କଟା ହୋଇଥାଏ । ଏହାକୁ କ୍ରୀଜ୍ କୁହାଯାଏ। ଉଇକେଟଠାରୁ ନିର୍ଦ୍ଧିଷ୍ଟ କ୍ରୀଜ୍ ମଧ୍ୟରେ ବ୍ୟାଟ୍ସମ୍ୟାନ୍ ବ୍ୟାଟ୍ ଧରି ଛିଡ଼ା ହୋଇଥାନ୍ତି ।
ବୋଲିଂ ପଟେ ଥିବା ଏଗାର ଜଣ ଖେଳାଳି କ୍ରିକେଟ୍ ଖେଳ ପଡ଼ିଆରେ ବିଭିନ୍ନ ସ୍ଥାନରେ ରହି ଖେଳନ୍ତି। ସେଗୁଡ଼ିକ ହେଲା – (୧) ବୋଲର୍, (୨) ଉଇକେଟ୍ କିପର୍, (୩) ପ୍ରଥମ ସ୍ଲିପ, (୪) ଦ୍ଵିତୀୟ ସ୍ଲିପ, (୫) ପଏଣ୍ଟ, (୬) ଗଲି, (୭) ଲଙ୍ଗ ଅଫ, (୮) ଲଙ୍ଗ ଅନ୍, (୯) ଲଙ୍ଗ ଅବ୍ ବାଉଣ୍ଡେରୀ, (୧୦) ଲଗ୍ ଅନ୍ ବାଉଣ୍ଡରୀ, (୧୧) ଥାର୍ଡ଼ମ୍ୟାନ୍ ବାଉଣ୍ଡରୀ।
[ ବୋଲିଂ ପକ୍ଷରୁ ନିଷ୍କ୍ରିୟ ବଲଟିଟି ଯଦି ବ୍ୟାଟରେ ବାଜି ବା ନ ବାଜି ଉଇକେଟ୍ ପଛକୁ ଖସିଯାଏ ତେବେ ସେହି ବିଲ୍କୁ ଅଟକାଇବା ପାଇଁ ଉଇକେଟ୍ ପଛରେ ବୋଲିଂ ପକ୍ଷର ଜଣେ ଖେଳାଳି ରହିଥା'ନ୍ତି; ଏହି ଖେଳାଳିଙ୍କୁ 'ଉଇକେଟ୍ କିପର୍’ କୁହାଯାଏ। ]
ବ୍ୟାଟିଂ ପଟେ ଥିବା ଏଗାର ଜଣ ଖେଳାଳିଙ୍କ ମଧ୍ୟରୁ ପ୍ରଥମ ଦୁଇ ଜଣ ହେଉଛନ୍ତି ଓପନର (୩) ଫାଷ୍ଟ ଡାଉନ୍ (୪) ସେକେଣ୍ଡ ଡାଉନ୍ (୫) ଥାର୍ଡ଼ ଡାଉନ୍ (୬) ଫୋର୍ଥ ଡାଉନ୍ (୭) ଫିପ୍ତ ଡାଉନ୍ (୮) ସିକ୍ସ୍ ଡାଉନ୍ (୯) ସେଭେନ୍ ଡାଉନ୍ (୧୦) ଏଇଟ୍ ଡାଉନ୍ ଓ (୧୧) ନାଇନ୍ ଡାଉନ୍। ଶେଷ ଜଣକ ‘ଖେଳାଳି ‘ନଟ ଆଉଟ' ରହନ୍ତି।
ଏତଦ୍ଭିନ୍ନ ଦୁଇ ଜଣ ଅମ୍ପାୟାର୍ ମଧ୍ଯ ରହନ୍ତି। ଜଣେ ଅମ୍ପାୟାର୍ ବ୍ୟାଟିଂ କ୍ରୀଜ୍ଵର ଅଳ୍ପ ଦୂରରେ ରହନ୍ତି। ଆଉ ଜଣେ ଅମ୍ପାୟାର୍ ବୋଲିଂ ନିକଟସ୍ଥ ଉଇକେଟ ପାଖରେ ରହନ୍ତି। ଏହି ଅମ୍ପାୟାର୍ ଦ୍ଵୟ ନିଜ ନିଜ ସ୍ଥାନରେ ରହି ଖେଳ ଉପରେ ତୀଷଣ ଦୃଷ୍ଟି ରଖି ଥାନ୍ତି, ଯେପରି କୌଣସି ଖେଳାଳି ଖେଳର କୌଣସି ନିୟମକୁ ଭଙ୍ଗ ନ କରନ୍ତି। ଏତଦ୍ଭିନ୍ନ ସେମାନେ ଖେଳାଳିମାନଙ୍କୁ ତ୍ରୁଟିବିଚ୍ୟୁତି ଉପରେ କଡା ନଜର ରଖିଥାନ୍ତି।
କ୍ରିକେଟ୍ ଖେଳର ଆରମ୍ଭରେ ପ୍ରଥମେ କେଉଁ ଦଳ ବୋଲିଂ କରିବେ ଓ କେଉଁ ଦଳ ବ୍ୟାଟିଂ କରିବେ ସେକଥା ଅମ୍ପାୟାର୍ଙ୍କଦ୍ଵାରା ମୁଦ୍ରା ନିକ୍ଷେପ ପଦ୍ଧତିରେ ସ୍ଥିର କରାଯାଏ । ଏହାପରେ ବ୍ୟାଟିଂ ପକ୍ଷର ଦୁଇ ଜଣ ଖେଳାଳି ଖେଳ ଆରମ୍ଭ କରିବାକୁ ଆସନ୍ତି। ବ୍ୟାଟିଂ ପକ୍ଷର ଖେଳାଳି ବ୍ୟାଟ ଧରି ବ୍ୟାଟ୍ସମ୍ୟାନ ରୂପେ ଉଇକେଟ୍ ଆଗରେ ଛିଡ଼ା ହୁଅନ୍ତି। ବିପରୀତ ପାର୍ଶ୍ବରେ ଥିବା ଉଇକେଟ୍ ସମ୍ମୁଖରୁ ବୋଲିଂ ପକ୍ଷର ଜଣେ ଖେଳାଳି ବ୍ୟାଟିଂ ପକ୍ଷର ଉଇକେଟକୁ ଲକ୍ଷ୍ୟ କରି ବଲ୍ ନିକ୍ଷେପ କରନ୍ତି। ବ୍ୟାଟ୍ସମ୍ୟାନ୍ ସେହି ବଲ୍କୁ ନିଜ ବ୍ୟାଟରେ ଏକ ଶକ୍ତ ପ୍ରହାର ଦେଇ ଦୂରକୁ ପଠାଇଦିଏ । ଏହି ବଲ୍ ଦୂରକୁ ଗଲାବେଳେ ବ୍ୟାଟ୍ସମ୍ୟାନ୍ ନିଜ ଉଇକେଟ୍ରୁ ଅନ୍ୟ ଉଇକେଟ୍ ପାଖକୁ ଦଉଡ଼େ ଓ ସେଠାରୁ ପୁଣି ନିଜ ଉଇକେଟ୍ ପାଖକୁ ଦଉଡ଼େ । ବୋଲିଂ ପକ୍ଷ ଉକ୍ତ ବଲ୍କୁ ପାଇବା ପର୍ଯ୍ୟନ୍ତ ବ୍ୟାଟିଂ ପକ୍ଷର ବ୍ୟାଟ୍ସମ୍ୟାନ୍ ଏକ ଉଇକେଟ୍ରୁ ଅନ୍ୟ ଉଇକେଟ୍କୁ ଯେତେଥର ରନ୍ (ଦୌଡ଼) କରିପାରେ ସେ ସେତେଗୋଟି ରନ୍ ଲାଭକଲା ବୋଲି କୁହାଯାଏ। ପ୍ରଥମ ବାଜି ଖେଳ ପରେ ବୋଲିଂ ପକ୍ଷ ଯେତେବେଳେ ବ୍ୟାଟିଂ ପକ୍ଷ ପାଲଟିଯାଏ, ସେତେବେଳେ ସେହି ପକ୍ଷର ବ୍ୟାଟ୍ସମ୍ୟାନ୍ ଏହିପରି ରନ୍ (ଦୌଡ଼) ଲାଭ କରିବାକୁ ଚେଷ୍ଟାକରେ। ଖେଳ ଶେଷରେ ଯେଉଁ ପକ୍ଷର ଅପର ପକ୍ଷଠାରୁ ଅଧିକ ସଂଖ୍ୟକ ରନ୍ ଲାଭ କରିଥାଏ ସେହି ପକ୍ଷ ବିଜୟୀ ବୋଲି ଘୋଷିତ ହୁଏ। ଏହା ବ୍ୟତୀତ ଯଦି ଖେଳ ଯେକୌଣସି କାରଣରୁ ନିର୍ଦ୍ଧାରିତ ସମୟ ମଧ୍ୟରେ ନ ସରେ, ସେହି ଖେଳ ବା ମ୍ୟାଚ୍ ଡ୍ର ବା ଅମୀମାଂସିତ ରହିଲା ବୋଲି ଘୋଷଣା କରାଯାଏ ।
ବ୍ୟାଟ୍ସମ୍ୟାନ୍କୁ ଅକୃତକାର୍ଯ୍ୟ କରିବା ପାଇଁ ବୋଲର୍ ବଳନିକ୍ଷେପ କରିବାରେ କେତେକ କୌଶଳ ଅବଲମ୍ବନ କରିଥା’ନ୍ତି। ସେଗୁଡ଼ିକ ହେଲା – ସ୍କ୍ରିନ୍ , ପେସ୍ ଓ ମିଡ଼ିଅମ୍ ପେସ୍ ପ୍ରଣାଳୀରେ ବଲ୍ ନିକ୍ଷେପ।
କେଉଁ କେଉଁ ଅବସ୍ଥାରେ ବ୍ୟାଟ୍ସମ୍ୟାନ୍ ଆଉଟ୍ ହୋଇଯା’ନ୍ତି :-
କ୍ରିକେଟ୍ ଖେଳରେ ବ୍ୟାନ୍ଟ୍ସମ୍ୟାନ୍ଙ୍କୁ ସାଧାରଣତଃ ନିମ୍ନମତେ ଆଉଟ୍ ବୋଲି ଘୋଷଣା କରାଯାଇଥାଏ ।
(୧) ବୋଲର୍ଦ୍ଵାରା ନିକ୍ଷିପ୍ତ ବଲ୍ ଯଦି ବ୍ୟାଟ୍ସମ୍ୟାନ୍ର ଉଇକେଟ୍କୁ ଆଘାତ ଦେଇ ଉଇକେଟ୍ ଉପରେ ଥିବା ବେଲ୍କୁ ଖସାଇ ପକାଏ, ତେବେ ଉକ୍ତ ବ୍ୟାଟ୍ସମ୍ୟାନ୍ ଆଉଟ୍ ହୋଇଯାଆନ୍ତି । ଏହାକୁ ବୋଲ୍ ଆଉଟ୍ କୁହାଯାଏ ।
(୨) ବ୍ୟାଟ୍ସମ୍ୟାନ୍ର ଗୋଡ଼ ଯଦି ଉଇକେଟ୍ର ଠିକ୍ ଆଗରେ ଥାଏ ଏବଂ ବୋଲର୍ ପକ୍ଷରୁ ନିକ୍ଷିପ୍ତ ବଲ୍ ବ୍ୟାଟ୍ସମ୍ୟାନ୍ ବ୍ୟାଟ୍ରେ ନ ବାଢି ଗୋଡ଼ରେ ବନ୍ଧା ହୋଇଥିବା ପ୍ୟାଡ଼ରେ ବାଜେ, ତେବେ ସେହି ବ୍ୟାଟ୍ସମ୍ୟାନ୍ ଆଉଟ୍ ହୋଇଯାଆନ୍ତି। ଏହାକୁ L.B.W. (Leg Before Wicket) କହନ୍ତି।
(୩) ବୋଲର୍ଦ୍ଵାରା ନିକ୍ଷିପ୍ତ ବଲ୍କୁ ବ୍ୟାଟ୍ସମ୍ୟାନ୍ ବ୍ୟାଟ୍ଦ୍ଵାରା ପ୍ରହାରଦେବା ଫଳରେ ବଲ୍ ଯଦି ଶୂନ୍ୟରେ ଉପରକୁ ଉଠିଯାଏ ଓ ସେହି ବଲ୍ ଭୂମିରେ ପଡ଼ିବା ପୂର୍ବରୁ ବୋଲିଂ ପକ୍ଷର କୌଣସି ଖେଳାଳି ସେହି ବଲ୍କୁ ହାତରେ ଧରିନିଅନ୍ତି, ତେବେ ବୋଲିଂ ପକ୍ଷର ସେହି ଖେଳାଳି ଗୋଟିଏ କ୍ୟାଚ୍ ଲାଭକଲେ ବୋଲି କୁହାଯାଏ ଓ ଉକ୍ତ ବ୍ୟାଟ୍ସମ୍ୟାନ୍ ଆଉଟ୍ ବୋଲି ଘୋଷଣା କରାଯାଏ। ଏହାକୁ ବ୍ୟାଟ୍ସମ୍ୟାନ୍ କଟ୍ ହେଲେ ବୋଲି କୁହାଯାଏ।
(୪) ବ୍ୟାଟ୍ସମ୍ୟାନ୍ ବୋଲିଂ ପକ୍ଷରୁ ନିକ୍ଷିପ୍ତ ବଲ୍କୁ ବ୍ୟାଦ୍ଵାରା ଦୂରକୁ ପଠାଇ ଦେଇ ରନ୍ (ଦୌଡ଼) କରୁଥିବା ବେଳେ, ବୋଲିଂ ପକ୍ଷ ଯଦି ବଲ୍ଟିକୁ ପାଇ ବ୍ୟାଟ୍ସମ୍ୟାନ୍ ଉଇକେଟ୍ ନିକଟରେ ଥିବା କ୍ରୀଜ୍ର ଗାର ଛୁଇଁବା ପୂର୍ବରୁ ଉଇକେଟ୍କୁ କୌଣସିମତେ ବଲ୍ଦ୍ଵାରା ଆଘାତ ଦେଇ ବେଲ୍ ଦୁଇଟିକୁ ଖସେଇ ପକାନ୍ତି, ତେବେ ଉକ୍ତ ବ୍ୟାଟ୍ସମ୍ୟାନ୍ ଆଉଟ୍ ବୋଲି ଘୋଷଣା କରାଯାଏ। ଏହାକୁ ରନ୍ଆଉଟ୍ କୁହାଯାଏ ।
(୫) ବୋଲର୍ଦ୍ଵାରା ନିକ୍ଷିପ୍ତ ବଲ୍କୁ ବ୍ୟାଟ୍ସମ୍ୟାନ୍ ପ୍ରହାର କରିବାକୁ ଯାଇ ଯଦି ବ୍ୟାଟିଂ କ୍ରୀଜ୍ ବାହାରକୁ ଚାଲିଆସନ୍ତି ଏବଂ ବଲ୍ ବ୍ୟାଟ୍ରେ ନ ବାଜି ଖସିଯାଏ, ସେତେବେଳେ ଉଇକେଟ୍ ରକ୍ଷକ ବଲ୍ଟିକୁ ଧରି ଉଇକେଟ୍ରେ ଛୁଆଁଇ ବେଲ୍ ଖସାଇଦେଲେ ବ୍ୟାଟ୍ସମ୍ୟାନ୍ ଆଉଟ୍ ହୋଇଯା’ନ୍ତି। ଏହାକୁ ଷ୍ଟମ୍ପ ଆଉଟ୍ କୁହାଯାଏ ।
ବୋଲର୍ ନିକ୍ଷିପ୍ତ ବଲ୍କୁ ବ୍ୟାଟ୍ସମ୍ୟାନ୍ ମାରିବାକୁ ଗଲାବେଳେ ଯଦି ବ୍ୟାଟ୍ ଉଇକେଟରେ ବାଜି ବେଲ୍ଗୁଡ଼ିକ ଖସିପଡ଼େ, ତେବେ ସେହି ବ୍ୟାଟ୍ସମ୍ୟାନ୍ ହିଟ୍ ଉଇକେଟ୍ ଆଉଟ୍ ହୁଅନ୍ତି।
(୭) ବୋଲର୍ଦ୍ଵାରା ନିକ୍ଷିପ୍ତ ବଲ୍କୁ ବ୍ୟାଟ୍ସମ୍ୟାନ୍ ଉଇକେଟ୍ରେ ନ ବାଜିବା ଉଦ୍ଦେଶ୍ୟରେ ରକ୍ଷଣାତ୍ମକ ବ୍ୟାଟିଂ କଲାବେଳେ ଯଦି ବଲ୍ ବ୍ୟାଟ୍ରେ ବାଜି ଉଇକେଟ୍ ଆଡ଼କୁ ଗଡ଼ି ଯାଉଥାଏ ଏବଂ ବ୍ୟାଟ୍ସମ୍ୟାନ୍ ଉଇକେଟ୍ରେ ବଲ୍ ବାଜିବା ପୂର୍ବରୁ ତାହାକୁ ହାତରେ ଅଟକାଇ ଦିଅନ୍ତି ତାହାହେଲେ ହ୍ୟାଣ୍ଡିଲିଂ ଦି ବଲ୍ ଦୋଷରେ ବ୍ୟାଟ୍ସମ୍ୟାନ୍ଙ୍କୁ ଆଉଟ୍ ବୋଲି ଘୋଷଣା କରାଯାଏ।
(୮) ବୋଲର୍ ବଲ୍ ନିକ୍ଷେପ କରିବାକୁ ଗଲାବେଳେ ଯଦି ସେ ଲକ୍ଷ୍ୟ କରନ୍ତି ଯେ, ରନ୍ର ସାଇଡ଼ର ବ୍ୟାଟ୍ସମ୍ୟାନ୍ କ୍ରୀଜରୁ ଆଗତୁରା ଦୌଡ଼ିବା ପାଇଁ ବାହାର ଯାଇଛନ୍ତି ତେବେ ସେ ବଲ୍ଟିକୁ ଫୋପାଡ଼ିବା ପରିବର୍ତ୍ତେ ଯଦି ତାଙ୍କ ନିକଟରେ ଥିବା ଉଇକେଟ୍କୁ ଛୁଆଁଇ ଦିଅନ୍ତି ତାହାହେଲେ ସେହି ବ୍ୟାଟ୍ସମ୍ୟାନ୍ ଆଉଟ୍ ବୋଲି ଘୋଷଣା କରାଯାଏ। ଏହାକୁ ମଙ୍କଡେଡ୍ ଆଉଟ୍ କୁହାଯାଏ ।
(୯) ବ୍ୟାଟ୍ସମ୍ୟାନ୍ ବୋଲର୍ଦ୍ବାରା ନିକ୍ଷିପ୍ତ ବଲ୍କୁ ମାରି ରନ୍ ନେଉଥିବାବେଳେ ଯଦି ବୋଲିଂ ସାଇଡ୍ କେହି ଖେଳାଳି ବଲ୍କୁ ଉଇକେଟ୍ ଉପରକୁ ଫୋପାଡ଼ି ଦିଅନ୍ତି ଏବଂ ରନ୍ ନେଉଥିବା ବ୍ୟାଟ୍ସମ୍ୟାନ୍ ବଲ୍ ଉଇକେଟ୍ରେ ବାଜି ଯାଉଥବାର ଲକ୍ଷ୍ୟ କରି ବଲ୍ର ଗତି ବଦଳେଇବାର ଚେଷ୍ଟା କରନ୍ତି, ତାହାହେଲେ ସେ ଆଉଟ୍ ବୋଲି ଘୋଷଣା କରାଯାଏ । ଏହାକୁ ଅଫଷ୍ଟ୍ରକସନ୍ ଆଉଟ୍ କୁହାଯାଏ।
କେଉଁ କେଉଁ କ୍ଷେତ୍ରରେ ବ୍ୟାଟ୍ସମ୍ୟାନ୍କୁ ଏକାବେଳକେ ଛଅ ରନ୍ ଓ ଏକାବେଳକେ ଚାରି ରନ୍ ମଞ୍ଜୁର କରାଯାଏ :-
ବ୍ୟାଟ୍ସମ୍ୟାନ୍ର ପ୍ରହାର ଫଳରେ ବଲ୍ ଯଦି ଭୂଇଁରେ ନ ପଡ଼ି ବାଉଣ୍ଡରୀ ଲାଇନ୍ (ସୀମାରେଖା )କୁ ଅତିକ୍ରମ କରିଯାଏ, ତେବେ ଏହାକୁ ଓଭର ବାଉଣ୍ଡେରୀ’ କୁହାଯାଏ ଓ ଏପରି ସ୍ଥଳେ ବ୍ୟାଟ୍ସମ୍ୟାନ୍ ଏକାବେଳକେ ଛଅଗୋଟି ରନ୍ ପାଏ ; କିନ୍ତୁ ବଲ୍ ଯଦି ଭୂମିକୁ ସ୍ପର୍ଶକରି ବାଉଣ୍ଡେରୀ ଲାଇନ୍କୁ ଅତିକ୍ରମ କରେ, ତେବେ ଉକ୍ତ ବ୍ୟାଟ୍ସମ୍ୟାନ୍ ଏକାବେଳକେ ଚାରିଗୋଟି ରନ୍ ପାଏ।
ଅନ୍ୟାନ୍ୟ କଥା :-
ବୋଲିଂ ପକ୍ଷରୁ ଛଅ ଥର ବଲ୍ ନିକ୍ଷିପ୍ତ ହେଲେ ଗୋଟିଏ ‘ଓଭର୍’ ହୁଏ । ବ୍ୟାଟ୍ ଦ୍ଵାରା ବଲ୍ ମାରିବାକୁ ବ୍ୟାଟିଂ କୁହାଯାଏ। ବ୍ୟାଟିଂ ଦୁଇ ପ୍ରକାରର ଅଟେ; ଯଥା— ଆକ୍ରମଣ୍ଡାତ୍ମକ ବ୍ୟାଟିଂ ଓ ରକ୍ଷଣାତ୍ମକ ବ୍ୟାଟିଂ। କ୍ରିକେଟ୍ ଖେଳ ଖେଳିବା ବେଳେ ଆଘାତରୁ ରକ୍ଷା ପାଇବା ପାଇଁ ସାଧାରଣତଃ ବ୍ୟାଟ୍ସମ୍ୟାନ ଯେଉଁ ପରିଧାନଗୁଡ଼ିକୁ ପିନ୍ଧିବା ଆବଶ୍ୟକ କରନ୍ତି, ସେଗୁଡ଼ିକ ହେଲା- ହ୍ୟାଣ୍ଡ୍ ଗ୍ଲୋବ୍ସ, ଆର୍ମଗାର୍ଡ଼, ଲେପ୍ପ୍ୟାଡ଼, ଥାଇଗାର୍ଡ଼, ଜୋତା ଓ ହେଲ୍ମେଟ୍।
ରନ୍, ଉଇକେଟ୍ ରକ୍ଷା, ବଲ୍ କ୍ୟାଚ ଓ ସେଞ୍ଚୁରୀ ଲାଭ ହେଉଛି କ୍ରିକେଟ୍ ଖେଳରେ ଭିନ୍ନ ଭିନ୍ନ ସ୍ଵାଦର କୃତିତ୍ବ। କ୍ରିକେଟ୍ ଖେଳରେ ଗୋଟିଏ ଇନିଙ୍ଗ୍ସ୍ (Innings)ରେ ଜଣେ ବ୍ୟାଟ୍ସମ୍ୟାନ୍ ଯଦି ଅତି କମ୍ରେ ଶହେ ରନ୍ କରେ, ତେବେ ସେହି ବ୍ୟାଟ୍ସମ୍ୟାନ୍ ଏକ ସେଞ୍ଚୁରୀ (century) ବା ଏକ ଶତକ ଲାଭ କଲା ବୋଲି ପ୍ରଶଂସିତ ହୁଏ। ଗୋଟିଏ ଖେଳାଳିର ବା ଗୋଟିଏ ଟିମ୍ବର ବ୍ୟାଟିଂ କାଳକୁ ଇନିଙ୍ଗ୍ସ୍ (Innings) କୁହାଯାଏ ।
କ୍ରିକେଟ୍ ଖେଳରେ ଦିନିକିଆ କ୍ରିକେଟମ୍ୟାଚ୍ ଗୋଟିଏ ଦିନରେ ସରେ। ଏଥିପାଇଁ ପଚାଶ ଓଭର୍ ବା ଚାଳିଶ ଓଭର୍ ବା ସେହିଭଳି କିଛି ଓଭର୍ ଖେଳ ହେବ ବୋଲି ଆଗରୁ ସ୍ଥିର ହୋଇଥାଏ କିନ୍ତୁ ଟେଷ୍ଟ କ୍ରିକେଟ୍ ମ୍ୟାଚ୍ ପାଞ୍ଚଦିନ ଧରି ଚାଲେ! ଏହାଛଡ଼ା ତିନିଦିନିଆ ଓ ଚାରିଦିନିଆ ମ୍ୟାଚ୍ ମଧ୍ୟ ହୁଏ। କ୍ରିକେଟ୍ ଟିମ୍ର୍ କ୍ୟାପ୍ଟେନ୍କୁ ଷ୍ଟିପର୍ (skipper) କୁହାଯାଏ । କ୍ୟାପ୍ଟେନ୍ର ଭୂମିକା ଦଳ ପାଇଁ ମହତ୍ତ୍ୱପୂର୍ଣ୍ଣ। ବିଶେଷତଃ ଫିଲିଡିଂ କରୁଥିବା ଦଳର କ୍ୟାପ୍ଟେନ୍, ଫିଲିଡିଂ ସଜ୍ଜାଇବା, ବୋଲର୍ ନିଯୁକ୍ତ କରାଇବା ଓ ବୋଲିର ବଦଳାଇବା କାର୍ଯ୍ୟରେ କୌଶଳୀ ହେବା ଆବଶ୍ୟକ।
ଏକ ପଚାଶ ଓଭର୍ ଖେଳରେ ପ୍ରଥମ ବ୍ୟାଟିଂ ପକ୍ଷ ମନେକର ଦୁଇଶ ପଚାଶ ରନ୍ କରିଛି। ପରବର୍ତୀ ପଚାଶ ଓଭର୍ ଖେଳରେ ଅପରପକ୍ଷ ଯଦି ଦୁଇଶହ ଏକାବନ ରନ୍ କରେ, ତେବେ ଏହି ଅପରପକ୍ଷ ବିଜୟୀ ବୋଲି ଘୋଷିତ ହୁଏ। ରନ୍ ସଂଖ୍ୟା ସମାନ ହେଲେ ଖେଳ ଅମୀମାଂସିତ ରହେ ।
‘‘ଭାରତ ସାତ ଉଇକେଟ୍ରେ ବିଜୟ ଲାଭ କରିଛି ? କହିଲେ କୁଝାଯାଏ ଖେଳ ଶେଷକୁ ଭାରତର ସାତ ଜଣ ଖେଳାଳି ନଟ୍ଆଉଟ୍ ରହିଛନ୍ତି ଅର୍ଥାତ୍ ସେମାନଙ୍କର ଆଉ ଖେଳିବାକୁ ଆସିବା ଦରକାର ହୋଇ ନାହିଁ। ‘ଭାରତ ତିନି ଉଇକେଟ୍ ହରାଇଛି ? କହିଲେ ବୁଝାଯାଏ ଭାରତର ଖେଳାଳିମାନଙ୍କ ମଧ୍ୟରୁ ତିନି ଜଣ ଆଉଟ୍ ହୋଇଯାଇଛନ୍ତି।
ବିଶ୍ଵର ସ୍ୱନାମଧନ୍ୟ କେତେକ କ୍ରିକେଟ୍ ଖେଳାଳି :–
ଉଇଲିୟମ୍ ଗିଲ୍ବର୍ଟ୍ ଗ୍ରେସ୍ – ୧୮୪୮ ଖ୍ରୀଷ୍ଟାବ୍ଦ ଜୁନ୍ ମାସ ଅଠର ତାରିଖରେ ଇଂଲଣ୍ଡର ବ୍ରିଷ୍ଟଲ୍ ସହରରେ ଉଇଲିୟମ୍ ଗିଲ୍ବର୍ଟ୍ ଗ୍ରେସ ଜନ୍ମଲାଭ କରିଥିଲେ। ସେ ଡାକ୍ତରିକୁ ନିଜର ପେସା ଭାବରେ ଗ୍ରହଣ କରି ବ୍ରିଷ୍ଟଲ୍ ସହରରେ ଜଣେ ଭଲ ଡାକ୍ତର ଭାବରେ ସୁନାମ ଅର୍ଜନ କରିଥିଲେ। ଗ୍ରେସ୍ ୧୮୭୪ ମସିହାରେ କ୍ରିକେଟ୍ କ୍ଷେତ୍ରରେ ପ୍ରବେଶ କଲେ ଓ ମାତ୍ର ଦୁଇ ବର୍ଷ ମଧ୍ୟରେ ଜଣେ ଶ୍ରେଷ୍ଠ କ୍ରିକେଟ୍ର (Cricketer) ବା ଶ୍ରେଷ୍ଠ କ୍ରିକେଟ୍ ଖେଳାଳି ରୂପେ କୀର୍ତ୍ତି ଅର୍ଜନ କଲେ। ସେ ପ୍ରାୟ ଏକଚାଳିଶ ବର୍ଷକାଳ କ୍ରିକେଟ୍ ଜଗତକୁ ପ୍ରଭାବିତ କରି ରଖିଥିଲେ। ଟେଷ୍ଟ କ୍ରିକେଟ୍ ମ୍ୟାଚଗୁଡ଼ିକରେ ଯୋଗଦେବା ପାଇଁ ସେ ଇଂଲିଶ୍ କ୍ରିକେଟ୍ ଟିମର ନେତୃତ୍ଵ ନେଇଥିଲେ। ନିଜର କ୍ରିକେଟ୍ ଜୀବନରେ ଗ୍ରେସ୍ ୫୩୯୮୬ ରନ୍ ୨୮୭୬ ଉଇକେଟ୍, ୮୭ଟି କ୍ୟାଚ୍ ଓ ୧୨୬ଟି ସେଞ୍ଚୁରୀ ଲାଭ କରିଥିଲେ। ସେ ଗୋଟିଏ କ୍ରିକେଟ୍ ସିରିଜ୍ରେ ଏକ ହଜାର ଲେଖାଏଁ ଉନ୍ ଅଠେଇଶ ଥର ଓ ଦୁଇ ହଜାର ଲେଖାଏଁ ଇନ୍ ଛଅ ଥର ଲାଭ କରିଥିଲେ। ୧୯୧୫ ମସିହାରେ ଗ୍ରେସ୍କର ଦେହାନ୍ତ ହୋଇଥିଲା ।
ଡୋନାଲଡ୍ ବ୍ରାଡ୍ମ୍ୟାନ୍ – ୧୯୧୮ ମସିହା ଅଗଷ୍ଟ ମାସ ସତେଇଶ ତାରିଖରେ ଅଷ୍ଟ୍ରେଲିଆର ନିଜ ସାଉଥ୍ ୱେଲ୍ରେ ଡୋନାଲ୍ଡ୍ ବ୍ରାଡ୍ମ୍ୟାନ୍ ଜନ୍ମଲାଭ କରିଥିଲେ। ବାଳକ ବୟସରେ ମଧ୍ୟ ସେ ସୁନ୍ଦର ଭାବରେ ବ୍ୟାଟ୍ ଚାଳନା କରିପାରୁଥିଲେ ଓ ବୟସବୃଦ୍ଧି ସଙ୍ଗେ ସଙ୍ଗେ ସେ ସେଚୁରୀ (ଶତକ) ଲାଭ କରିବାକୁ ସମର୍ଥ ହୋଇଥିଲେ । ୧୯୨୮ ମସିହାରେ ସେ ଜୀବନରେ ପ୍ରଥମ ଥର ପାଇଁ ଟେଷ୍ଟ କ୍ରିକେଟ୍ ମ୍ୟାଚ୍ରେ ଯୋଗଦେବାର ସୁଯୋଗ ଲାଭ କରିଥିଲେ।
ଗାର୍ ଫିଲ୍ଡ୍ ସୋବର୍ସ – ୧୯୩୬ ଖ୍ରୀଷ୍ଟାବ୍ଦ ଜୁଲାଇ ମାସ ଅଠେଇଶ ତାରିଖରେ ୱେଷ୍ଟଇଣ୍ଡିଜ୍ (ପଶ୍ଚିମ ଭାରତୀୟ ଦ୍ଵୀପପୁଞ୍ଜ)ସ୍ଥ ଵାର୍ବାଡସ୍ର ରାଜଧାନୀ ବ୍ରିଜ୍ ଟାଉନ୍ରେ ଗାର୍ଫିଲ୍ଡ୍ ସୋବର୍ସଙ୍କର ଜନ୍ମ। କ୍ରିକେଟ୍ ଖେଳିଲାବେଳେ ସୋବର୍ସ ନିଜ ବାମ ହସ୍ତକୁ ବ୍ୟବହାର କରୁଥିଲେ। ଅତି ଅଳ୍ପ ବୟସରୁ ସେ କ୍ରିକେଟ୍ ଖେଳରେ ନିଜର ପ୍ରତିଭା ପ୍ରକାଶ କରିଥିଲେ ଓ ଷୋଳ ବର୍ଷ ବୟସ ବେଳକୁ ସେ ଭଲ କ୍ରିକେଟ୍ ଖେଳାଳିରୂପେ ସୁନାମ ଅର୍ଜନ କରିଥିଲେ । ଏହି ସମୟରେ ସେ ତରୁଣବୟସର ବାଳକମାନଙ୍କୁ କ୍ରିକେଟ ଖେଳ ଶିକ୍ଷା ଦେଉଥଲେ । ସୋବର୍ସ୍ ଥଲେ କ୍ରିକେଟ୍ ଖେଳରେ ଅଲରାଉଣ୍ଡର୍ (all-rounder) । କ୍ରିକେଟ୍ ଖେଳର ସବୁ ଦିଗରେ ତାଙ୍କର ଦକ୍ଷତା ଥିଲା। ଵାର୍ବାଡସ୍ର ସରକାର ସୋବର୍ସକୁ ସମ୍ମାନିତ କରିବା ପାଇଁ ତାଙ୍କ ଛବି ଥିବା ଏକ ଡାକଟିକଟ୍ ପ୍ରକାଶ କରିଥିଲେ।
ସୁନିଲ୍ ଗାଭାସ୍କର- ୧୯୪୯ ଖ୍ରୀଷ୍ଟାବ୍ଦ ଜୁଲାଇ ମାସ ଦଶ ତାରିଖରେ ଭାରତର ବମ୍ବେ ନଗରୀରେ ସୁନିଲ ଗାଭାସ୍କର୍ ଜନ୍ମଲାଭ କରିଥିଲେ। ସେ ବାଲ୍ୟବୟସରୁ କ୍ରିକେଟ ଖେଳ ପ୍ରତି ଆଗ୍ରହୀ ଥିଲେ। ବିଦ୍ୟାଳୟର ଛାତ୍ର ଥିଲାବେଳେ ସେ ବିଦ୍ୟାଳୟ କ୍ରିକେଟ ଦଳ (School Cricket Team)ର ନେତୃତ୍ଵ ନେଉଥିଲେ। ୧୯୭୧ ମସିହାରେ ଭାରତୀୟ କ୍ରିକେଟବଳ ଟେଷ୍ଟ କ୍ରିକେଟ୍ ମ୍ୟାଚରେ ଖେଳିବା ପାଇଁ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଗଲାବେଳେ ସୁନିଲ୍ ଗାଭାସ୍କର୍ ଏହି ଦଳର ଜଣେ ଖେଳାଳି ରୂପେ ଗୃହୀତ ହେବାର ସୁଯୋଗ ଲାଭ କରିଥିଲେ। ଏହା ହିଁ ଥିଲା ତାଙ୍କ ଜୀବନର ସର୍ବପ୍ରଥମ ଟେଷ୍ଟ କ୍ରିକେଟ୍ ଅଭିଜ୍ଞତା । କ୍ରିକେଟ୍ ଜଗତର ବ୍ୟାଟ୍ସମ୍ୟାନ୍ ଭାବରେ ସୁନିଲ୍ ଗାଭାସ୍କର୍ଙ୍କ ସ୍ଥାନ ଅତି ଉଚ୍ଚରେ। ପୃଥିବୀରେ ସୁନିଲ୍ ଗାଭାସ୍କର୍ ହେଉଛନ୍ତି ଏକମାତ୍ର କ୍ରିକେଟ୍ ଖେଳାଳି ଯେ କି ଗୋଟିଏ କ୍ରିକେଟ୍ ବର୍ଷରେ ଥରକେ ଏକ ହଜାର ରନ୍ ଲେଖାଁ ତିନି ଥରରେ ତିନିହଜାର ରନ୍ ଲାଭ କରିଛନ୍ତି। ସୁନିଲ୍ ଗାଭାସ୍କର ମଧ୍ୟ ଜଣେ ଭଲ ସ୍କିପର୍ (Skipper) ବା ବିମନେତା ରୂପେ ନିଜର ଦକ୍ଷତା ପ୍ରମାଣ କରିଛନ୍ତି। ତାଙ୍କରି ନେତୃତ୍ୱରେ ଭାରତୀୟ କ୍ରିକେଟ୍ ଦଳ (ଏସିଆନ୍ କପ୍’ ଓ ‘ବେନ୍ସନ୍ ଆଣ୍ଡ୍ ହେଜେସ୍ ୱାର୍ଲଡ଼୍ କପ୍’ ଟୁର୍ଣ୍ଣାମେଣ୍ଟରେ କପ୍ ପାଇପାରିଥିଲେ। କ୍ରିକେଟ୍ ଖେଳରେ ସୁନିଲ୍ ଗାଭାସ୍କର୍ଙ୍କ ଅପୂର୍ବ କୃତିତ୍ଵ ଲାଗି ତାଙ୍କୁ ୧୯୭୫ ଖ୍ରୀଷ୍ଟାବ୍ଦରେ ‘ଅର୍ଜୁନ ପୁରସ୍କାର’ ଓ ୧୯୮୦ ଖ୍ରୀଷ୍ଟାବ୍ଦରେ ‘ପଦ୍ମଭୂଷଣ’ ପଦବୀଦ୍ଵାରା ସମ୍ମାନିତ କରାଯାଇଥିଲା। ସୁନିଲ୍ ଗାଭାସ୍କର୍ ଜଣେ ଭଲ ବ୍ୟାଟ୍ସମ୍ୟାନ୍ ରୂପେ ପୃଥିବୀରେ ଶକ୍ତିଶାଳୀ ସୁଦକ୍ଷ ନାମଜାଦା ବୋଲର୍ମାନଙ୍କର ସମ୍ମୁଖୀନ ହୋଇ ନିଜର ନିପୁଣତା ପ୍ରକାଶ କରିଥିଲେ। କ୍ରିକେଟ୍ ସମ୍ବନ୍ଧରେ ସେ କେତେଗୋଟି ପୁସ୍ତକ ଲେଖିଛନ୍ତି। ସେହି ପୁସ୍ତକଗୁଡ଼ିକର ନାମ ହେଲା Sunny Days, Idols, Suns and Ruins & One Day Wonders.
କପିଳଦେବ – ୧୯୫୬ ଖ୍ରୀଷ୍ଟାବ୍ଦ, ଜାନୁୟାରୀ ମାସ, ଛଅ ତାରିଖରେ ଭାରତର ହରିୟାନା ରାଜ୍ୟରେ କପିଳଦେବ ନିଖଞ୍ଜ ଜନ୍ମଲାଭ କରିଥିଲେ। କପିଳଦେବଙ୍କ ପରିବାର କାଠଗଡ଼ ବା ଟିମ୍ବର୍ ବ୍ୟବସାୟ କରୁଥିଲେ ଓ ସେହି ସୂତ୍ରରେ ସେମାନେ ଚଣ୍ଡୀଗଡ଼କୁ ଉଠି ଆସିଥଲେ। ତେରବର୍ଷ ବୟସ ପର୍ଯ୍ୟନ୍ତ କପିଳଦେବ କେବେହେଲେ କ୍ରିକେଟ୍ ଖେଳି ନ ଥିଲେ। ଏହାପରେ ସେ କ୍ରିକେଟ୍ ଖେଳ ପ୍ରତି ଆଗ୍ରହ ପ୍ରକାଶ କଲେ। ଜୀବନରେ ସର୍ବପ୍ରଥମେ ସେ ସେକ୍ଟର-୧୬ କ୍ରିକେଟ୍ ଟିମ୍ରେ କ୍ରିକେଟ୍ ଖେଳିବାର ସୁଯୋଗ ପାଇଥିଲେ। ଜଣେ (substitute) ବା ବଦଳିଆ ଭାବରେ ତାଙ୍କୁ ଏହି ସୁଯୋଗ ମିଳିଥିଲା। କୋଡ଼ିଏ ବର୍ଷ ବୟସ ବେଳକୁ ସେ ଏକ ବର୍ଷ ଏକଶ’ ନଅ ଦିନ ମଧ୍ୟରେ ଏକ ହଜାର ରନ୍ ଓ ଏକଶତ ଉଇକେଟ୍ ଲାଭ କରିଥିଲେ। ୧୯୭୮ ଖ୍ରୀଷ୍ଟାବ୍ଦରେ ଟେଷ୍ଟ କ୍ରିକେଟ୍ ମ୍ୟାଟ୍ରେ ଖେଳିବା ପାଇଁ ପାକିସ୍ତାନକୁ ଭାରତୀୟ ଟିମ୍ ଗଲାବେଳେ କପିଳଦେବ ସେହି ଟିମ୍ରେ ସ୍ଥାନ ପାଇଥିଲେ। ଟେଷ୍ଟ ମ୍ୟାଚ୍ରେ ଖେଳିବାର ପ୍ରଥମ ସୁଯୋଗ ତାଙ୍କ ଜୀବନରେ ଏହିଥର ଘଟିଥିଲା। ଭାରତ ପକ୍ଷରୁ ୱେଷ୍ଟ ଇଣ୍ଡିଜ୍ରେ କ୍ରିକେଟ୍ ମ୍ୟାଚ୍ ଖେଳିଲାବେଳେ ମଧ୍ୟ କପିଳଦେବ କୃତିତ୍ଵ ଲାଭ କରି ଯଶସ୍ବୀ ହୋଇଥିଲେ। କ୍ରିକେଟ୍ ଖେଳରେ କପିଳଦେବ ଅଲରାଉଣ୍ଡର୍ (all-rounder) ଅଟନ୍ତି; ଅର୍ଥାତ୍ କ୍ରିକେଟ୍ ଖେଳର ସକଳ ବିଭାଗରେ ତାଙ୍କର ଦକ୍ଷତା ଅଛି। ୧୯୮୩ ଖ୍ରୀଷ୍ଟାବ୍ଦରେ ଇଂଲଣ୍ଡରେ ଅନୁଷ୍ଠିତ ୱାର୍ଲଡ୍ କପ୍ ଟେଷ୍ଟ୍ କ୍ରିକେଟ୍ ମ୍ୟାଚ୍ରେ ଭାରତର କୃତିତ୍ଵ କପିଳଦେବଙ୍କ ଯୋଗୁଁ ସମ୍ଭବ ହୋଇଥିଲା। କପିଳଦେବ ନିଜର ଆତ୍ମଜୀବନୀ ଲେଖିଛନ୍ତି। ଏହି ପୁସ୍ତକର ନାମ By Gods, Decree.
ଉପସଂହାର :-
ଅଧୁନା ଖେଳ ଜଗତରେ କ୍ରିକେଟ୍ ଖେଳ ଏକ ବିଶିଷ୍ଟ ସ୍ଥାନ ଅଧିକାର କରିଅଛି। ବିଭିନ୍ନ ଦେଶର ସରକାର ନିଜ ନିଜ ଦେଶରେ କ୍ରିକେଟ୍ ଖେଳକୁ ପ୍ରୋତ୍ସାହନ ଦେଉଛନ୍ତି ଓ ଏଥିପାଇଁ ପର୍ଯ୍ୟାପ୍ତ ପରିମାଣର ଅର୍ଥ ମଞ୍ଜୁର କରୁଛନ୍ତି। ଭାରତରେ କେନ୍ଦ୍ରସରକାର ଓ ରାଜ୍ୟସରକାରମାନେ ମଧ୍ୟ ଏ ଦିଗରେ ପଦକ୍ଷେପମାନ ଗ୍ରହଣ କରୁଛନ୍ତି। ଭାରତରେ ଗୋଟିଏ ସୁଦକ୍ଷ କ୍ରିକେଟ୍ ଟିମ୍ ଗଢ଼ିବା ଉଦ୍ଦେଶ୍ୟରେ ଆଞ୍ଚଳିକ ଭିତ୍ତିରେ ବହୁତଗୁଡ଼ିଏ କ୍ରିକେଟ୍ ପ୍ରତିଯୋଗିତା ଅନୁଷ୍ଠିତ ହେଉଅଛି। ସେଥିମଧ୍ୟରୁ ରଣଜୀତ୍ ଟ୍ରଫି ପ୍ରତିଯୋଗିତା ପ୍ରଧାନ। ଏହା ବ୍ୟତୀତ ଦୀଲିପ୍ ସିଂହ ପ୍ରତିଯୋଗିତା, ଦେଓଧର ପ୍ରତିଯୋଗିତା, ଇରାନୀ ଟ୍ରଫି ପ୍ରତିଯୋଗିତା, ଉଇଲିସ୍ ଟ୍ରଫି ଆଦି ଉଲ୍ଲେଖଯୋଗ୍ୟ। ସାଧାରଣତଃ ଆମ ଦେଶରେ ଏହି ଟୁର୍ଣ୍ଣାମେଣ୍ଟଗୁଡ଼ିକରେ ଖେଳୁଥିବା ଖେଳାଳିଙ୍କ ମଧ୍ୟରୁ ଆମ ଦେଶ ପକ୍ଷରୁ ଖେଳିବା ପାଇଁ ଖେଳାଳି ବଛା ହୁଅନ୍ତି। ଏମାନେ ଭାରତ ବାହାରେ ହେଉଥିବା ୱାର୍ଲଡ଼ କପ୍, ବେନ୍ସେନ୍ ହେଜସ୍, ରଥମ୍ୟାନ୍ସ୍ କପ୍, ଅଷ୍ଟ୍ରେଲେସିଆ ଆଦି ବଡ଼ ବଡ଼ ଟୁର୍ଣ୍ଣାମେଣ୍ଟରେ ଖେଳନ୍ତି। ସେହି ସବୁ ଟୁର୍ଣ୍ଣାମେଣ୍ଟରେ ଭାରତକୁ ପାକିସ୍ତାନ, ୱେଷ୍ଟଇଣ୍ଡିଜ୍, ଅଷ୍ଟ୍ରେଲିଆ, ନିଉଜିଲ୍ୟାଣ୍ଡ, ଇଂଲଣ୍ଡ, ଶ୍ରୀଲଙ୍କା, ଜିମ୍ବାୱେ ପ୍ରଭୃତି ଦେଶମାନଙ୍କ ସହିତ ଖେଳିବାକୁ ପଡ଼ିଥାଏ । ଏହିସବୁ ବିଶ୍ୱ କ୍ରିକେଟ୍ ପ୍ରତିଯୋଗିତାଗୁଡ଼ିକରେ ଭାରତୀୟ କ୍ରିକେଟ୍ ଖେଳାଳିମାନେ ବିଜୟ ଲାଭକରି ନିଜ ପାଇଁ ଓ ଦେଶ ପାଇଁ ଗୌରବ ଅର୍ଜନ କରନ୍ତୁ; ଏହା ହିଁ କ୍ରିକେଟପ୍ରେମୀଙ୍କର ଆଶା ଓ ଆକାଙ୍କ୍ଷା।
*****
Popular Post
Odia application to the Sarpanch for village road repairing.
- Get link
- X
- Other Apps
WRITE AN APPLICATION TO THE B.D.O. OF YOUR BLOCK REQUESTING HIM TO SINK A FEW TUBEWELL IN YOUR VILLAGE FOR SUPPLY OF DRINKING WATER.
- Get link
- X
- Other Apps
application to B.D.O. requesting to sink a few tubewell for supply of drinking water.
- Get link
- X
- Other Apps
WRITE AN APPLICATION TO THE HEADMASTER TO GRANT OF LEAVE FOR REMAINING PERIOD OF A DAY.
- Get link
- X
- Other Apps

Comments
Post a Comment
Thanks for commenting