Skip to main content

Recent Post

EDUCATIONAL TECHNOLOGY

  EDUCATIONAL TECHNOLOGY 1 UNIT From the ancient abacus to handheld calculators, from slide projectors and classroom film strips to virtual reality and next-generation e-learning, educational technology continues to evolve in exciting new ways inspiring teachers and students alike. Technology is continually changing the way we work and play, create and communicate. So it's only natural that advancements in digital technology are also creating game-changing opportunities in the world of education. For teachers, technology is opening up new possibilities to enrich and stimulate young minds. Today, there is growing excitement around the potential for assistive technology, virtual and augmented reality, high-tech collaboration tools, gamification, podcasting, blogging, 3D printing, artificial intelligence, personalized learning and much more. Educational technology is a systematic and organized process of applying modern technology to improve the quality of education (efficie...

Odia essay Odishara khanija sampada

 ପ୍ରବନ୍ଧ ଓଡ଼ିଶାର ଖଣିଜ ସମ୍ପଦ

Odishara khanija sampada essay poster


ଉପକ୍ରମ :-

ଜଗତର ବିବିଧ ପ୍ରାକୃତିକ ସମ୍ପଦ ମଧ୍ୟରେ ଖଣିଜ ସମ୍ପଦ ଅନ୍ୟତମ ଅଟେ। ବହୁସଂଖ୍ୟକ ଶିଳ୍ପସଂସ୍ଥା ନିଜ ନିଜର ସାମଗ୍ରୀମାନ ନିର୍ମାଣ କରିବା ନିମିତ୍ତ ଖଣିଜ ଦ୍ରବ୍ୟ ଉପରେ ନିର୍ଭର କରନ୍ତି। ମଣିଷ ତା’ର ଦୈନଦିନ ଜୀବନଯାତ୍ରା ନିର୍ବାହ କରିବା ପାଇଁ ଖଣିଜ ଉତ୍ପାଦନ ନିର୍ମିତ ବିବିଧ ସାମଗ୍ରୀ ବ୍ୟବହାର କରେ। କୃଷି ଓ ଶିଳ୍ପ ଯନ୍ତ୍ରାଦିର ନିର୍ମାଣ ଓ ପରିଚାଳନା ନିମିତ୍ତ ନାନାବିଧ ଖଣିଜବସ୍ତୁ ଆବଶ୍ୟକ ହୁଏ। ଏହି କାରଣ ହେତୁ ଖଣି ଓ ଖଣିଜଦ୍ରବ୍ୟସବୁ ମୂଲ୍ୟବାନ ସମ୍ପଦରୂପେ ପରିଗଣିତ। ସର୍ବବିଧ ଖଣି ଓ ଖଣିଜଦ୍ରବ୍ୟସବୁ ଦେଶରେ ସମପରିମାଣରେ ଦୃଷ୍ଟିଗୋଚର ହୁଏ ନାହିଁ, ତେଣୁ ଖଣିଜଦ୍ରବ୍ୟ ନିମିତ୍ତ ବିଭିନ୍ନ ଦେଶ ପରସ୍ପର ଉପରେ ନିର୍ଭର କରିଥା’ନ୍ତି। ଆମ୍ଭମାନଙ୍କର ଜନ୍ମଭୂମି ଭାରତବର୍ଷରେ ସର୍ବବିଧ ଖଣି ଅବଶ୍ୟ ନାହିଁ; ତଥାପି ଭାରତବର୍ଷର ଖଣିଜ ସମ୍ପଦ ବିଶ୍ଵର ଅନ୍ୟାନ୍ୟ ରାଷ୍ଟ୍ର ତୁଳନାରେ ପ୍ରକାର ବା ପରିମାଣରେ ନିକୃଷ୍ଟ ନୁହେଁ। ଖଣିଜ ସମ୍ପଦ ଭାରତର ସମସ୍ତ ରାଜ୍ୟରେ ବିସ୍ତୃତ ଥିବାର ଦେଖାଯାଏ। ଆମ୍ଭମାନଙ୍କର ଜନ୍ମଭୂମି ଓଡ଼ିଶା ଖଣ୍ଡରେ ନାନାବିଧ ଖଣିଜସମ୍ପଦ ପରିବ୍ୟାପ୍ତ ହୋଇ ରହିଅଛି। ଭାରତବର୍ଷର ବିକାଶମୁଖୀ ଅର୍ଥନୀତିରେ ଓଡ଼ିଶାର କେତେକ ଖଣି ଉନ୍ମୋଚିତ ହୋଇଅଛି ଏବଂ କେତେକ ଖଣି ଉନ୍ମୋଚିତ ହେବାର ପ୍ରସ୍ତାବମାନ ଗୃହୀତ ହୋଇଅଛି; ତେଣୁ ଓଡ଼ିଶାର ଜନସାଧାରଣ ଓଡ଼ିଶାର ଖଣିଜ ସମ୍ପଦ ସମ୍ବନ୍ଧରେ ବିଶେଷ ଭାବରେ ଅଭିହିତ ହେବା ଉଚିତ। ଓଡ଼ିଶାର ଖଣିଜ ସମ୍ପଦ ମଧ୍ୟରେ ଲୁହା, କୋଇଲା, ବକ୍‌ସାଇଟ୍, ଡୋଲାମାଇଟ, ଗ୍ରାଫାଇଟ୍, କ୍ରୋମାଇଟ୍‌, ମାଙ୍ଗାଜିନ୍, ଚୀନାମାଟି ଓ ଚୂନପଥର ପ୍ରଧାନ ଅଟେ। ଓଡ଼ିଶାରେ ଏତଦ୍‌ବ୍ୟତୀତ ଅଭ୍ର, ସୀସା ଓ ନିକେଲ ଖଣିମାନ ରହିଅଛି।

ଲୁହା:-

ଋକ୍‌ବେଦକାଳରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦୀର୍ଘ ସମୟକୁ ମନୁଷ୍ୟ ସଭ୍ୟତାର ଲୌହଯୁଗ ବୋଲି କୁହାଯାଏ। ପ୍ରଧାନତଃ ଲୌହ ଯୋଗୁଁ ଆଧୁନିକ ବିଜ୍ଞାନଭିଭିକ ସଭ୍ୟତା ସମ୍ଭବ ହୋଇପାରିଛି। ସାଧାରଣ ପିନ୍‌କଣ୍ଟାଠାରୁ ଆରମ୍ଭ କରି ବଡ଼ ବଡ଼ କଳକା ରଖାନା ମାନ ଲୌହ ନିର୍ମିତ ଅଟେ। କୃଷି ଓ ଶିଳ୍ପ ଯନ୍ତ୍ରାଦିରୁ ଆରମ୍ଭ କରି ଶକ୍ତିଚାଳିତ ସ୍ଥଳଯାନ, ଜଳଯାନ ଓ ଶୂନ୍ଯଯାନ ପର୍ଯ୍ୟନ୍ତ ଲୌହଦ୍ଵାରା ନିର୍ମିତ। ପୃଥିବୀ ଗର୍ଭରେ ନିହିତ ସମସ୍ତ ଲୌହପ୍ରସ୍ତରର ଏକ ଚତୁର୍ଥାଂଶ ଭାରତବର୍ଷରେ ରହିଅଛି। ଭାରତବର୍ଷର ଖଣିଗୁଡ଼ିକରେ ନିହିତ ଥିବା ଲୌହପ୍ରସ୍ତରର ପରିମାଣ ପ୍ରାୟ ଦୁଇ ହଜାର କୋଟି ଟନ୍। ଏଥୁମଧ୍ଯରୁ ପ୍ରାୟ ଏକ ହଜାର କୋଟି ଟନ୍ ଲୌହପ୍ରସ୍ତର କେବଳ ଓଡ଼ିଶାରେ ଥିବା ଖଣିଗୁଡ଼ିକରେ ଆବଦ୍ଧ ରହିଅଛି। ଓଡ଼ିଶାର ଖଣିଗୁଡ଼ିକରେ ଥିବା ଲୁହା ପଥରକୁ ହେମାଟାଇଟ୍‌ କୁହାଯାଏ; କାରଣ ଯେଉଁ ଲୌହପ୍ରସ୍ତରରେ ଷାଠିଏ ଶତାଂଶରୁ ଅଧିକ ଖାଣ୍ଟି ଲୌହ ଅଂଶ ରହିଅଛି, ତାହା ହେମାଟାଇଟ୍ ନାମରେ ନାମିତ । ଓଡ଼ିଶାର ଲୌହପ୍ରସ୍ତରରେ ପ୍ରାୟ ଅଠଷଠୀଶତାଂଶ ଖାଣ୍ଟି ଲୌହଜଡ଼ିତ ରହିଅଛି। ଏକ ହଜାର କୋଟି ଟନ୍‌ର ଏଭଳି ଉତ୍କୃଷ୍ଟ ଲୌହପ୍ରସ୍ତରକୁ ଗର୍ଭରେ ଧାରଣ କରି ଉତ୍କଳ ଆଜି ଗର୍ବିତ। ଓଡ଼ିଶାରେ ନିମ୍ନଲିଖିତ ସ୍ଥାନଗୁଡ଼ିକରେ ଲୌହଖଣିମାନ ଆବିଷ୍କୃତ ହୋଇଅଛି।


  1. କେନ୍ଦୁଝର ଜିଲ୍ଲାର କୋପ୍‌, କିରିବୁରୁ, ବୋଲାନି ଓ ଗନ୍ଧମାର୍ଦ୍ଦନ ଅଞ୍ଚଳ।
  2. କଟକ ଜିଲ୍ଲାର ସୁକିନ୍ଦା, ଦଇତାରି ଓ ଟମକା ଅଞ୍ଚଳ।
  3. ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଅଞ୍ଚଳ।
  4. ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣୀ, ବାଦାମ ପାହାଡ଼ ଓ ସୁଲେଇପାଟ ଅଞ୍ଚଳ। ଜାମସେଦପୁରରେ ଥ‌ିବା ଟାଟା ଲୌହ ଓ ଇସ୍ପାତ କାରଖାନା ଦୀର୍ଘକାଳ ଧରି ଗୋରୁମହିଷାଣୀ ଓ ବାଦାମ ପାହାଡ଼ରୁ ଲୌହ ଗ୍ରହଣ କରିବା ଫଳରେ ସେସବୁ ଖଣି ଏବେ ପ୍ରାୟ ଲୌହଶୂନ୍ୟ ହୋଇପଡ଼ିଅଛି।
  5. କୋରାପୁଟ ଜିଲ୍ଲାର ହୀରାପୁର।

ଭାନାଡ଼ିଅମ୍ ଓ ଟାଇନାନିଅମ୍ :–

ଏକପ୍ରକାରର ଦୃଢ଼ ଇସ୍ପାତ ନିର୍ମାଣ କରିବା ନିମିତ୍ତ ଭାନାଡ଼ିଅମ୍ ଧାତୁ ଆବଶ୍ୟକ ହୁଏ। ଭାନାଡ଼ିଅମ୍ ଓ ଟାଇନାନିଅମ୍ ଥିବା ଲୌହପ୍ରସ୍ତରର ମୟୂରଭଞ୍ଜ ଜିଲ୍ଲାର ବେତଝରଣା ଓ କୁମାର‍ଡ଼ବି ଅଞ୍ଚଳରେ ନିହିତ ଅଛି। ଭାନାଡ଼ିଅମ୍ ଥିବା ଲୌହପ୍ରସ୍ତରର ପରିମାଣ ଏସବୁ ଅଞ୍ଚଳରେ ପ୍ରାୟ ଦୁଇ କୋଟି ଟନ୍ ଅଟେ।

କୋଇଲା :-

ପଥର କୋଇଲା ଏକ ଖଣିଜଦ୍ରବ୍ୟ। ଅଷ୍ଟାଦଶ ଶତାବ୍ଦୀର କୌଣସି ଏକ ସମୟ ପର୍ଯ୍ୟନ୍ତ ପଥରକୋଇଲାର ବ୍ୟବହାର ଜଗତରେ ଅଜ୍ଞାତ ଥିଲା । ଏହି ସମୟରେ ଶ୍ଵେତଦ୍ୱୀପରେ କାଷ୍ଠ ଇନ୍ଧନର ଅଭାବଜନିତ ସମସ୍ୟାମାନ ଉପୁଜିବାରୁ ନୂତନ ଇନ୍ଧନର ଅନୁସନ୍ଧାନ ନିମିତ୍ତ କତିପୟ ଇଂରେଜ ବ୍ୟକ୍ତି ଅନୁସନ୍ଧିତ୍ସଚ୍ଛୁ ହୋଇଉଠିଲେ। ସର୍ବପ୍ରଥମେ ଆବ୍ରାହାମ୍ ଡ଼ାର୍ଲେ ନାମକ ଜଣେ ଇଂରେଜ ଲୌହକାର ଲୁହା ତରଳାଇବା ପାଇଁ ପଥରକୋଇଲାକୁ ଇନ୍ଧନ ଭାବରେ ବ୍ୟବହାର କଲେ। ଏହା ଫଳରେ ଅଧିକ ଲୌହ ଉତ୍ପାଦିତ ହେଲା । କୋଇଲାର ଓଜନ ଲୁହା ଅପେକ୍ଷା ବହୁତ ବେଶି; ତେଣୁ କୋଇଲା ଖଣିରୁ କୋଇଲାକୁ ସ୍ଥାନାନ୍ତରିତ କରିବା ପରିବର୍ତ୍ତେ କୋଇଲାଖଣିର ନିକଟବର୍ତ୍ତୀ ଅଞ୍ଚଳରେ ଲୌହ ଶିଳ୍ପମାନ ଢ଼ିଉଠିଲା। ଯେକୌଣସି ଚାଳକ ଯନ୍ତ୍ର ବା ଇଞ୍ଜିନ୍‌ର ପରିଚାଳନା ଲାଗି ବାଷ୍ପୀୟ ଖଡ଼ିର ଆବଶ୍ୟକତା ବହୁତ ଦେଶି। କୋଇଲା ଓ କଳର ବ୍ୟବହାର ଦ୍ଵାରା ବାଷ୍ପୀୟ ଶକ୍ତିର ସୃଷ୍ଟି ଘଟିଥିବାରୁ ବାଷ୍ପୀୟଶକ୍ତି ଆମମାନଙ୍କ ପକ୍ଷେ ଅଳ୍ପ ବ୍ୟୟସାଧ୍ୟ। ବାଷ୍ପୀୟ ଶକଟ, ବାଷ୍ପୀୟ ନୌକା, ବାଷ୍ପୀୟ ପୋତ ଏବଂ ବହୁତ ବାଷ୍ପଚାଳିତ କଳକାରଖାନା ବାଷ୍ପୀୟ ଶକ୍ତି ଉପରେ ନିର୍ଭର କ କରିଥା’ନ୍ତି ; ତେଣୁ ଆଧୁନିକ ଯନ୍ତ୍ର ସଭ୍ୟତା ଲାଗି ପଥରକୋଇଲାର ଗୁରୁତ୍ଵ ବହୁତ ବେଶି। କେବଳ ସେତିକି ନୁହେଁ; ବିଦ୍ୟୁତ୍‌ ଚାଳିତ କଳକାରଖାନା ଓ ଅନ୍ୟାନ୍ୟ ଇଞ୍ଜିନ୍‌ର ପରିଚାଳନା ପାଇଁ କୋଇଲା ମଧ୍ୟରୁ ତାପଜ ବିଦ୍ୟୁତ୍ ସୃଷ୍ଟି କରାଯାଏ । ଏଥିପାଇଁ କୋଇଲାଖଣି ନିକଟରେ ତାପଜ ବିଦ୍ୟୁତକେନ୍ଦ୍ର (Thermal Station) ମାନ ସ୍ଥାପନ କରାଯାଏ। ବହୁ ବ୍ୟକ୍ତି ଅଳ୍ପ ବ୍ୟୟସାଧ୍ୟ ଜାଳେଣି ଲାଗି କାଠ ପରିବର୍ତ୍ତେ ପଥରକୋଇଲାକୁ ବ୍ୟବହାର କରିଥା’ନ୍ତି। ପଥରକୋଇଲାରୁ ରାସାୟନିକ ପ୍ରଣାଳୀରେ ସିନ୍ଥେଟିକ୍ ପେଟ୍ରୋଲ ମଧ୍ୟ ପ୍ରସ୍ତୁତ କରାଯାଏ। ଭାରତ ପରି ଦେଶ ଯେଉଁଠାରେ କି ବରେହାଇ, ଆସାମର ଦିଗ୍‌ବୋଇ ଏବଂ ପଞ୍ଜାବର କେତୋଟି ସ୍ଥାନକୁ ଛାଡ଼ିଦେଲେ ଅନ୍ୟ କୌଣସି ଅଞ୍ଚଳରେ ପେଟ୍ରୋଲିୟମ୍ ଥିବାର ଜଣାଯାଏ ନାହିଁ, ସେଠାରେ ସିନ୍ଥେଟିକ୍ ପେଟ୍ରୋଲର ଆବଶ୍ୟକତା ଅତି ଗୁରୁତ୍ୱପୂର୍ଣ୍ଣ। ବିଶେଷତଃ ଯୁଦ୍ଧ ସମୟରେ ଯାନ୍ତ୍ରିକ ସମର ଲାଗି ଏହାର ଆବଶ୍ୟକତା ଭାରତବର୍ଷରେ ବହୁତ ବେଶି; ତେଣୁ ପେଟ୍ରୋଲ ଉତ୍ପାଦନ ପାଇଁ ଭାରତ ପକ୍ଷେ କୋଇଲାର ଗୁରୁତ୍ଵ ବେଶ୍ ଉପଲବ୍‌ଧ କରିହୁଏ। ଆଧୁନିକ ରାସ୍ତା ନିର୍ମାଣରେ ବହୁ ପରିମାଣରେ ପିଚୁ ବ୍ୟବହାର କରାଯାଉଅଛି। ପିଚୁ ମଧ୍ୟ କୋଇଲାରୁ ପ୍ରସ୍ତୁତ କରାଯାଏ। ଉଇ ଓ ବର୍ଷାବିତ୍ପାତରୁ ବାଷ୍ପଦ୍ରବ୍ୟର ସୁରକ୍ଷା ଲାଗି ଆଲକାତରା ବେଶ୍ ଉପାଦେୟ ଅଟେ। ଆଲ୍‌କାତରାରୁ ରାସାୟନିକ ପ୍ରଣାଳୀରେ ଗନ୍ଧକର୍ପୂର, ନାନାବିଧ ରଙ୍ଗ ଓ ସୁଗନ୍ଧ ଦ୍ରବ୍ୟ, କୃତ୍ରିମ କସ୍ତୁରୀ, ବିଭିନ୍ନ ଔଷଧ, ଆମୋନିଆ ସଲଫେଟ୍ ନାମକ ଏକ ଜାତୀୟ ସାର, ଫିନାଇଲ, ଭେସ୍‌ଲିନ୍, କାର୍ବୋଲିକ୍ ଏସିଡ଼, ସାକାରିନ୍ ନାମକ ଏକଜାତୀୟ ଅତି ମିଷ୍ଟ ସ୍ଵାଦୁବିଶିଷ୍ଟ ଉପାଦାନ ଓ ପ୍ଲାଷ୍ଟିକ ପ୍ରସ୍ତୁତ କରାଯାଏ। ଆଜିର ଜଗତରେ ପ୍ଲାଷ୍ଟିକ୍ ଓ ଭେସ୍‌ଲିନ୍‌ର ଆବଶ୍ୟକତା ବହୁତ ବେଶି। ପଥରକୋଇଲାର ବହୁଳ ଆବଶ୍ୟକତା ହେତୁ ଏହା ଏକ ଅତି ଉପାଦେୟ ଖଣିଜ ସମ୍ପଦରୂପେ ପରିଗଣିତ । ଏହି କାରଣରୁ କୋଇଲାକୁ କୃଷ୍ଣହୀରା ବା Black Diamond ବୋଲି କୁହାଯାଏ

ଆମ୍ଭମାନଙ୍କର ଜନ୍ମଭୂମି ଉତ୍କଳର ଭୂଗର୍ଭରେ ବହୁ ପରିମାଣରେ ପଥର କୋଇଲା ଗଚ୍ଛିତ ରହିଅଛି। ଢେଙ୍କାନାଳ ଜିଲ୍ଲାର ତାଳଚେର ଏବଂ ସମ୍ବଲପୁର ଜିଲ୍ଲାର ରାମପୁର । କୋଇଲାଖଣିସବୁ ଦେଖୁବାକୁ ମିଳେ। ରାଉରକେଲାଠାରେ ଥିବା ହିନ୍ଦୁସ୍ଥାନ ଇସ୍ପାତ କାରଖାନା ଓ ତାଳଚେରଠାରେ ପ୍ରତିଷ୍ଠିତ ତାପଜ ବିଦ୍ୟୁତକେନ୍ଦ୍ର, ତାଳଚେର ଅଞ୍ଚଳରୁ ପ୍ରାପ୍ତ ପଥରକୋଇଲାଦ୍ଵାରା ପରିଚାଳିତ ହୁଏ।

ବକ୍‌ସାଇଟ୍ :-

ବକ୍‌ସାଇଟ୍ ଏକଜାତୀୟ ଖଣିଜ ଧାତୁ। ଏଥିରୁ ଆଲୁମିନିୟମ୍ ପ୍ରସ୍ତୁତ କରାଯାଏ । ଆଜିକାଲି ଆଲୁମିନିୟମ୍ ବାସନକୁସନର ବ୍ୟବହାର କାହାରିକୁ ଅଜଣା ନାହିଁ। ସେ ଦୃଷ୍ଟିରୁ ବକ୍‌ସାଇଟ୍‌ର ଆବଶ୍ୟକତା ବେଶ୍ ଉପଲବ୍‌ଧ ହୁଏ। ଏତଦ୍‌ବ୍ୟତୀତ ଆକାଶଯାନ ଓ ମହାକାଶ ଯାନର ଆବରଣରୂପେ ଆଲୁମିନିୟମ୍‌ର ବହୁଳ ବ୍ୟବହାର ଦେଖାଯାଏ । ଆଲୁମିନିୟମ୍ ଉତ୍ପାଦନ ବ୍ୟତୀତ ଅନ୍ୟାନ୍ୟ କେତେଗୁଡ଼ିଏ କାର୍ଯ୍ୟରେ ବକ୍‌ସାଇଟ୍‌ ଆବଶ୍ୟକତା ରହିଅଛି। ପେଟ୍ରୋଲିୟମକୁ ପରିଷ୍କାର କରିବା ନିମିତ୍ତ ବକ୍‌ସାଇଟ୍ ବ୍ୟବହୃତ ହୁଏ। ସିମେଣ୍ଟ ଶିଳ୍ପ, ରିଫ୍ରାକ୍ଟରୀ ଶିଳ୍ପ ଓ କେତେକ ରାସାଯନିକ ଶିଳ୍ପରେ ବକ୍‌ସାଇଟ୍‌ର ବ୍ୟବହାର ଆବଶ୍ୟକ ହୁଏ। ଆମ୍ଭମାନଙ୍କର ଜନ୍ମରାଜ୍ୟ ଉତ୍କଳର ଭୂଗର୍ଭରେ ଅଜସ୍ର ବକ୍‌ସାଇଟ୍ ଗଚ୍ଛିତ୍ର ରହିଅଛି। କଳାହାଣ୍ଡି ଜିଲ୍ଲାର କାଶୀପୁର, କରଳାପାଟ ଓ ମହୁଲପାଟଣା ଅଞ୍ଚଳରେ ବକ୍‌ସାଇଟ ଖଣି ଆବିଷ୍କୃତ ହୋଇଅଛି। ଏତଦ୍‌ବ୍ୟତୀତ ବଲାଙ୍ଗୀର ଓ ସମ୍ବଲପୁର ଜିଲ୍ଲାରେ ମଧ୍ୟ ବହୁ ବକ୍‌ସାଇଟ୍ ନିହିତ ରହିଅଛି ।

ଡୋଲାମାଇଟ୍ :–

ଲୌହଇସ୍ପାତ୍ କାରଖାନାରେ ଡୋଲାମାଇଟ୍‌ର ବ୍ୟବହାର ଆବଶ୍ୟକ ହୁଏ। ଓଡ଼ିଶାରେ ଡୋଲାମାଇଟ୍ ଖଣିର ଅଭାବ ନାହିଁ। ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ଦୁଇ ଶହ ବାଉନ ନିୟୁତ ଡୋଲାମାଇଟ୍‌ ଭୂଗର୍ଭରେ ନିହିତ ଅଛି ବୋଲି ଅନୁସନ୍ଧାନଦ୍ୱାରା

ଜଣାଯାଇଅଛି।

ଗ୍ରାଫାଇଟ୍ :-

ଗ୍ରାଫାଇଟ୍‌ରେ ପେନ୍‌ସିଲ ଧାତୁ ପ୍ରସ୍ତୁତ କରାଯାଏ। ଆମ୍ଭମାନଙ୍କ ପେନ୍ସିଲରେ ଯେଉଁ Lead ବା ସୀସା ରହିଅଛି, ତାହା ଏହି ଗ୍ରାଫାଇଟ୍ ଧାତୁରୁ ନିର୍ମିତ। ଗ୍ରାଫାଇଟ୍‌ରୁ ଏକଜାତୀୟ ଧାତୁ ବିଗଳନ ପାତ୍ର ନିର୍ମାଣ କରାଯାଏ। ଏହି ପାତ୍ରକୁ ନିଆଁ ଉପରେ ବସାଇ ତହିଁରେ ଅନ୍ୟ କେତେକ ଧାତୁକୁ ତରଳା ଯାଇପାରେ। ପରମାଣୁ ଶକ୍ତି ଉତ୍ପାଦନ କେନ୍ଦ୍ରରେ ମଧ୍ୟ ଗ୍ରାଫାଇଟ୍‌ ଆବଶ୍ୟକ ହୁଏ। ବିଭିନ୍ନ ପ୍ରକାରର ଛାଞ୍ଚ ଏବଂ କେତେକ ଘର୍ଷଣହ୍ରାସକ ଦ୍ରବ୍ୟ ନିର୍ମାଣରେ ଗ୍ରାଫାଇଟ୍‌କୁ ବ୍ୟବହାର କରାଯାଏ। ଓଡ଼ିଶାର ଗ୍ରାଫିଲଟ୍ ଖଣିର ମଧ୍ଯ ଅଭାବ ନାହିଁ। କଳାହାଣ୍ଡି, ଢେଙ୍କାନାଳ, ବଲାଙ୍ଗିର ଓ ସମ୍ବଲପୁର ଜିଲ୍ଲାରେ ପ୍ରଚୁର ଗ୍ରାଫାଇଟ୍ ଖଣିର ଗହ୍ଵରରେ ଗଚ୍ଛିତ ରହିଅଛି।

କ୍ରୋମାଇଟ୍ :-

କ୍ରୋମାଇଟ୍‌ ଏକଜାତୀୟ ଖଣିଜ ଉତ୍ପାଦନ ଅଟେ। କ୍ରୋମାଇଟ୍‌ର ବ୍ୟବହାର ବହୁମୁଖୀ। ରିଫ୍ରାକ୍ଟରୀ ବା ଅଗ୍ନିପରୀକ୍ଷିତ ଇଟା ବା ଅଗ୍ନିନିରୋଧକ ଇଟା ନିର୍ମାଣ କରିବା ନିମିତ୍ତ କ୍ରୋମାଇଟ୍‌ ଧାତୁ ଆବଶ୍ୟକ ହୁଏ। କ୍ରୋମାଇଟ୍ ଧାତୁର ବ୍ୟବହାରଦ୍ୱାରା ଇସ୍ପାତକୁ ଶକ୍ତ କରାଯାଇଥାଏ। ଦାଗନିରୋଧକ ଇସ୍ପାତ (Stainless Steel) ନିର୍ମାଣରେ କ୍ରୋମାଇନ୍ ଧାତୁ ବ୍ୟବହୃତ ହୁଏ। ଫେରୋକ୍ରୋମ୍ ନାମକ ଉପାଦାନ କ୍ରୋମାଇଟ୍‌ରୁ ପ୍ରସ୍ତୁତ କରାଯାଏ। ଚମଡ଼ାଶିଳ୍ପ, ରଙ୍ଗ ଶିଳ୍ପ ଓ କେତେକ ରାସାୟନିକ ଶିଳ୍ପ ନିର୍ମାଣରେ କ୍ରୋମାଇଟ ଆବଶ୍ୟକ ହୁଏ। ଓଡ଼ିଶାରେ କ୍ରୋମାଇଟ ଖଣିର ଅଭାବ ନାହିଁ। କ୍ରୋମାଇଟ୍‌ ଧାତୁ ଉପାଦାନରେ ଆମ୍ଭମାନଙ୍କର ଓଡ଼ିଶା ସମଗ୍ର ଭାରତବର୍ଷରେ ପ୍ରଥମ ସ୍ଥାନ ଲାଭ କରିଅଛି। ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଅଞ୍ଚଳରେ ବହୁ କ୍ରୋମାଇଟ୍ ଖଣି ରହିଅଛି। କଟକ ଜିଲ୍ଲା ମଧ୍ୟସ୍ଥ ସୁକିନ୍ଦା ଅଞ୍ଚଳରେ ସିସୁଆବିଲ, ଭୀମ ଟାଙ୍ଗର ଓ କଳାରଙ୍ଗ ଅଞ୍ଚଳରେ କ୍ରୋମାଇଟ୍ ଥିବାର ଦେଖାଯାଏ। କେନ୍ଦୁଝର ଜିଲ୍ଲାର ବଉଳା ପାହାଡ଼ ଅଞ୍ଚଳରେ ମଧ୍ୟ ବହୁ କ୍ରୋମାଇଟ୍ ଭୂଗର୍ଭରେ ନିହିତ ଅଛି।


ମାଙ୍ଗାନିଜ୍ :—

ମାଙ୍ଗାନିଜ୍ ଧାତୁ ଏକଜାତୀୟ ଇସ୍ପାତ୍ ନିର୍ମାଣରେ ବ୍ୟବହୃତ ହୁଏ। ରଙ୍ଗ, ବାର୍ଣ୍ଣିସ୍, ବ୍ୟାଟେରୀ ଓ କତିପୟ ରାସାୟନିକ ଦ୍ରବ୍ୟ ନିର୍ମାଣରେ ମାଙ୍ଗାନିଜ୍ ବ୍ୟବହାରର ଆବଶ୍ୟକତା ରହିଅଛି। ମାଙ୍ଗାନିଜ୍ ଉତ୍ପାଦନରେ ରୁଷଦେଶ ସମଗ୍ର ପୃଥିବୀରେ ପ୍ରଥମ ସ୍ଥାନ ଅଧିକାର କରିଅଛି। ଦ୍ୱିତୀୟ ସ୍ଥାନ ଅଧିକାର କରିଅଛି ଆମ୍ଭମାନଙ୍କର ଜନ୍ମଭୂମି ଭାରତ। ଭାରତବର୍ଷରେ ପ୍ରାୟ ଏକ ଶହ ପଚିଶ ନିୟୁତ ଟନ୍ ମାଙ୍ଗାନିଜ୍ ଅଛି। ତନ୍ମଧ୍ୟରୁ କୋଡ଼ିଏ ନିୟୁତ ଟନ୍ କେବଳ ଓଡ଼ିଶାର ମାଙ୍ଗାନିଜ ଖଣି ମଧ୍ୟରେ ମହଜୁଦ୍ ରହିଅଛି। ଓଡ଼ିଶାର ମାଙ୍ଗାନିଜ୍ ମଧ୍ୟରୁ ଅଧିକାଂଶ ଭାଗ କେନ୍ଦୁଝର ଜିଲ୍ଲାର ଜୋଡ଼ା ଓ ବଡ଼ବିଲ୍ ଅଞ୍ଚଳରେ ଦେଖାଯାଏ। ସୁନ୍ଦରଗଡ଼ ଜିଲ୍ଲାର କୋଇଲା ଅଞ୍ଚଳରେ ମାଙ୍ଗାନିଜ୍ ଖଣି ରହିଅଛି। ଏତଦ୍‌ବ୍ୟତୀତ କୋରାପୁଟ, କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାରେ ମାଙ୍ଗାନିଜ୍ ଖଣିସବୁ ପରିଦୃଷ୍ଟ ହୁଏ।

ନିକେଲ :—

କେତେକ ଶ୍ରେଣୀର ମୁଦ୍ରା ନିର୍ମାଣରେ ନିକେଲ୍ ବ୍ୟବହୃତ ହୁଏ। କେତେକ ଲୌହ ଏବଂ ପିତ୍ତଳ ଦ୍ରବ୍ୟ ଉପରେ ନିକେଲ୍‌ ଆବରଣ ଦେଇ ସେଗୁଡ଼ିକୁ ଚକ୍ଷୁପ୍ରୀତିକର କରାଯାଇଥାଏ। ଏହି ଧାତୁ ଭାରତବର୍ଷରେ ବିରଳ। ଓଡ଼ିଶାର କଟକ ଜିଲ୍ଲା ଅନ୍ତର୍ଗତ ସୁକିନ୍ଦାଠାରେ ଚାରିକୋଟି ଟନ୍ ନିକେଲ୍ ଅଛି ବୋଲି ଅନୁସନ୍ଧାନଦ୍ୱାରା ଜଣାଯାଇଛି।

ସୀସା :—

ସୀସା ଏକ ଓଜନଦାର ଧାତୁ ଓଡ଼ିଶାରେ ସୀସାଖଣିର ଅଭାବ ରହିଛି। ଏବେ ଅନୁସନ୍ଧାନଦ୍ୱାରା ଜଣାଯାଇଛି ଯେ, ବଲାଙ୍ଗୀର ଓ ମୟୂରଭଞ୍ଜ ଜିଲ୍ଲାରେ କେତେକ ସୀତାପଥର ଖଣିଗର୍ଭରେ ନିହିତ ଅଛି। ସୁକିନ୍ଦା ନିକଟବର୍ତ୍ତୀ ସଉରିପଲ୍ଲୀଠାରେ ବୟାଳିଶ ଲକ୍ଷ ଟନ୍ ସୀସାପଥର ଅଛି ବୋଲି ଅନୁସନ୍ଧାନଦ୍ୱାରା ଜଣାଯାଇଛି।

ଚିନାମାଟି :-

ଏକପ୍ରକାର ବସ୍ତୁରେ ଚୀନାମାଟିପାତ୍ରସବୁ ନିର୍ମିତ ହୁଏ। କଟକ ଜିଲ୍ଲାର ନରାଜ, ପୁରୀ ଜିଲ୍ଲାର ଚନ୍ଦକା ଏବଂ ମୟୂରଭଞ୍ଜ ଜିଲ୍ଲାର ଯଶୀପୁର ଓ କରଞ୍ଜିଆ ଅଞ୍ଚଳରେ ପ୍ରଚୁର ଚୀନାପଥର ରହିଛି।

ଚୂନ ପଥର :—

ଲୁହା ଓ ଇସ୍ପାତ କାରଖାନାରେ ଉଚ୍ଚ ଶ୍ରେଣୀର ଚୂନପଥରର ବ୍ୟବହାର ଆବଶ୍ୟକ ହୁଏ। ଉଚ୍ଚ ଶ୍ରେଣୀର ଚୂନପଥରରୁ ସିମେଣ୍ଟ ମଧ୍ୟ ପ୍ରସ୍ତୁତ ହୁଏ। ଚୂନପଥର ଉତ୍ପାଦନରେ ଆମ୍ଭମାନଙ୍କର ଉତ୍କଳ ସମଗ୍ର ଭାରତବର୍ଷରେ ପ୍ରଥମ ସ୍ଥାନ ଅଧିକାର କରିଅଛି। ଏ ଶ୍ରେଣୀର ଉତ୍କୃଷ୍ଟ ଚୂନପଥର ଓଡ଼ିଶାର ଖଣିଗୁଡ଼ିକରେ ପ୍ରାୟ ସତୁରି କୋଟି ଟନ୍ ଗଚ୍ଛିତ ରହିଅଛି। କୋରାପୁଟ ଜିଲ୍ଲାର କୋଟପାଡ଼, ସମ୍ବଲପୁର ଜିଲ୍ଲାର ଡୁଗ୍ରୀ ଏବଂ ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଓ ହାତୀବାଡ଼ି ଅଞ୍ଚଳରେ ପ୍ରଚୁର ଚୂନପଥର ଦେଖାଯାଏ ।

ଅଭ୍ର :-

ପ୍ରେଟ୍ରୋମାକ୍‌ସ ଲାଇଟର ଲୋକ ଆବରଣ ନିର୍ମାଣରେ ଅଭ୍ରର ବ୍ୟବହାର କାହାରିକୁ ଅବିଦିତ ନାହିଁ। ବିଦ୍ୟୁତ୍‌ଶିଳ୍ପରେ ଅଭ୍ରର ବ୍ୟବହାର ଉଲ୍ଲେଖଯୋଗ୍ୟ। ଅଭ୍ର ମଧ୍ୟ ଅନ୍ୟାନ୍ୟ କେତେକ ଦ୍ରବ୍ଯ ନିର୍ମାଣରେ ବ୍ୟବହୃତ ହୁଏ। ଭାରତବର୍ଷରେ ପ୍ରଚୁର ଅଭ୍ର ରହିଅଛି ; କିନ୍ତୁ ଓଡ଼ିଶାରେ ସେହିଭଳି ଉତ୍ତମ ଅଭ୍ର ଖଣି ଦେଖାଯାଏ ନାହିଁ। କୋରାପୁଟ ଓ ଢେଙ୍କାନାଳ ଜିଲ୍ଲାର କେତେକ ଅଞ୍ଚଳରେ ଅଭ୍ର ଖଣି ଆବିଷ୍କୃତ ହେଲାଣି ; କିନ୍ତୁ ଏଠିକାର ଅଭ୍ର ଅତି ନିକୃଷ୍ଟ ଶ୍ରେଣୀର ଅଟେ।

ବାଲି :-

ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରଚୁର ବାଲି ଦେଖିବାକୁ ମିଳେ। କାଚ ନିର୍ମାଣରେ ବାଲିର ଆବଶ୍ୟକତା ଆମ୍ଭେମାନେ ଜାଣୁ। ଓଡ଼ିଶାର ବାଲି ସୂକ୍ଷ୍ମତା ଅଭାବରୁ ସ୍ଵଚ୍ଛ ଓ ଶୁଭ୍ରକାଚ ନିର୍ମାଣ ନିମିତ୍ତ ସଂପୂର୍ଣ୍ଣ ଅଯୋଗ୍ୟ ; କିନ୍ତୁ ରଙ୍ଗିନ୍‌ କାଚ ପ୍ରସ୍ତୁତ କରିବା ନିମିତ୍ତ ଓଡ଼ିଶାର ବାଲି ଅନୁପଯୁକ୍ତ ନୁହେଁ।

ଉପସଂହାର :-

ଅନୁସନ୍ଧାନ ଫଳରେ ଉପଯୁକ୍ତ ଖଣିଜସମ୍ପଦସବୁ ଓଡ଼ିଶାର ଭୂଗର୍ଭରେ ନିହିତ ଅଛି ବୋଲି ଅଧୁନା ସର୍ବଜନବିଦିତ; କିନ୍ତୁ ଧୈର୍ଯ୍ୟର ସହିତ ବ୍ୟାପକ ଅନୁସନ୍ଧାନ ଫଳରେ ଓଡ଼ିଶାର ନୂତନ ଖଣିଜ ସମ୍ପଦ ଆବିଷ୍କୃତ ହୋଇପାରିବ। ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ପରୀକ୍ଷା କଲେ ପେଟ୍ରୋଲିୟମ୍‌ର ସନ୍ଧାନ ମିଳିପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ; ତେଣୁ ଓଡ଼ିଶାରେ ଖଣିସନ୍ଧାନ ନିମିତ୍ତ ବ୍ୟାପକ କ୍ଷେତ୍ର ରହିଅଛି। ଏହି ଖଣିଗୁଡ଼ିକ ଆବିଷ୍କାର କରି ସେଗୁଡ଼ିକର ଉପଯୁକ୍ତ ବିନିଯୋଗ ହେବା ଏକାନ୍ତ ଆବଶ୍ୟକ। ଦୁଃଖର କଥା, ଓଡ଼ିଶାରେ ଅଦ୍ୟାବଧୂ ଯେଉଁ ଖଣିସବୁ ଆବିଷ୍କୃତ ହୋଇସାରିଛି, ସେଗୁଡ଼ିକର ପୂର୍ଣ୍ଣ ବିନିଯୋଗ ହୋଇପାରି ନାହିଁ। କେତେକ ଖଣି ଏପର୍ଯ୍ୟନ୍ତ ପ୍ରାଥମିକ କାର୍ଯ୍ୟପରିସର ମଧ୍ୟକୁ ଅଣାଯାଇ ନାହିଁ। ଏହାଠାରୁ ବଳି ପରିତାପର ବିଷୟ ଆଉ କ'ଣ ହୋଇପାରେ? ଖଣିଜସମ୍ପଦରେ ପରିପୂର୍ଣ୍ଣ ଉତ୍କଳଭୂମିର ଅଧିବାସୀଗଣ ଆଜି ଦରିଦ୍ର। ଖଣିଜସମ୍ପଦରେ ପରିପୂର୍ଣ୍ଣ ଉତ୍କଳଭୂମିର ଉଚ୍ଚଶିକ୍ଷିତ ପ୍ରତିଭାବାନ ଯନ୍ତ୍ରୀବର୍ଗ ଆଜି ବେକାର ଜୀବନଯାପନ କରୁଛନ୍ତି। ଉତ୍କଳର ଏହି ଦୁରାବସ୍ଥା ଆମ୍ଭମାନଙ୍କର ଅନୁଦ୍ୟମ ଓ ନିଷ୍କ୍ରିୟତା ହେତୁ ଘଟିଛି। କ୍ଷମତା ରାଜନୀତିର ଆକର୍ଷଣ ଓ ପ୍ରତ୍ୟାକର୍ଷଣଜନିତ ଶ୍ରମ ଓ ଶକ୍ତିର ଘୋର ଅପଚୟ ହେତୁ ଉତ୍କଳର କର୍ଣ୍ଣଧାରଗଣ ଏ ସମସ୍ୟାର ସମାଧାନ ଲାଗି ଅକ୍ଷମ ହୋଇଛନ୍ତି। ଉତ୍କଳବାସୀଙ୍କର କଲ୍ୟାଣକଳ୍ପେ ଉତ୍କଳର ଖଣିଜସମ୍ପଦଗୁଡ଼ିକର ଦ୍ରୁତ ବିକାଶ ଓ ବିନିଯୋଗ ଲାଗି ଦୃଢ଼ ଜନମତ ଗଠିତ ହେବା ଆବଶ୍ୟକ।

*****


Comments